banner
Breaking

ଜନହିତ ଦୃଷ୍ଟିରୁ ପଞ୍ଚମ ଆକ୍ରାନ୍ତଙ୍କ ନାମ ପ୍ରକାଶ କଲା ବିଏମସି। ଭୟ ନକରି ମୁକାବିଲା କରିବାକୁ କହିଲେ କମିଶନର-ପ୍ରେମଚାନ୍ଦ ଚୌଧୁରୀ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨ା୪(ଓଡ଼ିଆ ନ୍ୟୁଜ): ଓଡିଶାରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନାମ ଗୋପନ ରହିଥିବା ବେଳେ ଭୁବନେଶ୍ୱରରୁ ଚିହ୍ନଟ ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ଲୋକଲୋଚନକୁ ଆଣିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତାଙ୍କ ନାମ ପ୍ରଦୀପ୍ତ ଦଳ ବେହେରା(୬୦)। ଘର ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ ନଂ. ୩୭। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି ବିଏମ୍‌ସି କମିଶନର ପ୍ରେମଚାନ୍ଦ୍ର ଚୌଧୁରୀ କହିଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୦୪ରେ ପଞ୍ଜିକରଣ କରି ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରିବାକୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟନଗର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି। ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ ଓ ଏଲ୍‌ଆସି ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସେହିପରି ଗଙ୍ଗନଗର ଛକରୁ ଶିରିପୁର ଛକ ଓ ଶିରିପୁରରୁ ଗୋପବନ୍ଧୁ ଛକକୁ ମଧ୍ୟ ସିଲ୍‌ କରାଯାଇଛି। ସମ୍ପୃକ୍ତ ସମସ୍ତ ଅଞ୍ଚଳକୁ ବିଏମ୍‌ସି ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ଡାକ୍ତରୀ ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ବୁଝିବେ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ସହାୟତାରେ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି କମିଶନର ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।

ସୂର୍ଯ୍ୟନଗର ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୈନିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବା ବେଳେ ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ତେବେ ପ୍ରଦୀପ୍ତଙ୍କ ପରିବାରବର୍ଗଙ୍କୁ ଯଦି ଅନ୍ୟ କୌଣସି ବ୍ୟକ୍ତିବିଶେଷ ଅଣଦେଖା କିମ୍ବା ବାଚ୍ଛନ୍ଦ କରିବାକୁ ପ୍ରୟାସ କରନ୍ତି ତେବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଦୀପ୍ତଙ୍କର ବିଗତ ଦିନରେ କୌଣସି ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନ ଥିବାରୁ ସୂର୍ଯ୍ୟନଗର ଅଞ୍ଚଳର ଜନସାଧାରଣ ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଆବଶ୍ୟକ ବୋଲି କମିଶନର ଚୌଧୁରୀ ପ୍ରକାଶ କରିଛନ୍ତି। ସିଲ୍‌ ହେବା କାରଣରୁ ଲୋକେ ଭୟଭିତ ନ ହୋଇ ବିଏମ୍‌ସିକୁ ସହଯୋଗ କରନ୍ତୁ। ଲୋକଙ୍କ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ବିଏମ୍‌ସି ନିରନ୍ତର ପ୍ରୟାସ କରିବ। ସୂର୍ଯ୍ୟନଗର ଅଞ୍ଚଳକୁ ବର୍ତ୍ତମାନ ପ୍ରତିବନ୍ଧକ ଜୋନ ଭାବେ ଘୋଷଣା କରାଯାଇଛି। ତେଣୁ ଅଞ୍ଚଳର ଜନସାଧାରଣ ସଚେତନ ହେବା ସହ ବିଏମ୍‌ସିକୁ ସହଯୋଗ କରିବାକୁ କମିଶନର ଶ୍ରୀ ଚୌଧୁରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.