ଦେଶ ପାଇଁ ଖୁସି ଖବର। ଅଗଷ୍ଟରେ ଆସିବ କରୋନା ଟୀକା କୋଭାକ୍ସିନ୍
ନୂଆଦିଲ୍ଲୀ,୩/୭(ବ୍ୟୁରୋ);ଦେଶ ପାଇଁ ଖୁସି ଖବର। ଭାରତରେ ପ୍ରସ୍ତୁତ ହୋଇଛି କରୋନା ଟିକା। ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡ ଓ ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର)ର ମିଳିତ ସହଯୋଗରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏହାର ନାମ ରହିଛି ‘କୋଭାକ୍ସିନ’। ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହାକୁ ବଜାରକୁ ଆଣିବାକୁ ଆଇସିଏମଆର ଯୋଜନା କରିଛି। ଆଇସିଏମଆର ଡିଜି ବଳରାମ ଭାର୍ଗବ ଏ ନେଇ ଭାରତ ବାୟୋଟେକ୍କୁ ଚିଠି ଲେଖି ଦ୍ରୁତ ଗତିରେ ‘କୋଭାକ୍ସିନ’ର କ୍ଲିନିକାଲ ପରୀକ୍ଷଣ ଶେଷ କରିବାକୁ କହିଛନ୍ତି।
ନିକଟରେ ଭାରତ ବାୟୋଟେକକୁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରିବାକୁ ଅନୁମତି ମିଳିଥିଲା। ଭାର୍ଗବ ଚିଠିରେ ଲେଖିଥିଲେ ଯେ, ଭାରତ ଦ୍ବାରା କରୋନା ଟିକା ପ୍ରସ୍ତୁତ କରାଯିବାରେ ଏହା ପ୍ରଥମ ବଡ଼ ପ୍ରୟାସ। ସରକାର ବି ଏହା ଉପରେ ନଜର ରଖିଛନ୍ତି। ଏହାକୁ ପ୍ରାଥମିକତା ଆଧାରରେ ଆଗକୁ ନେବାକୁ ପଡ଼ିବ। ଆଇସିଏମଆର ଏବଂନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ସାର୍ସ କୋଭିଡ-୨ ଷ୍ଟ୍ରେନ୍ରୁ ଭାକ୍ସିନକୁ ଅଲଗା କରି ପ୍ରସ୍ତୁତ କରିଛନ୍ତି। କ୍ଲିନିକାଲ ଟ୍ରାଏଲ ପାଇଁ ୧୨ଟି ଅନୁଷ୍ଠାନକୁ ଚିଠି କରାଯାଇଛି। ଆଇସିଏମଆର କହିଛି ଯେ, ସମସ୍ତ କ୍ଲିନିକାଲ ଟ୍ରାଏଲ ଶେଷ ହେବା ପରେ ଅଗଷ୍ଟ ୧୫ ସୁଦ୍ଧା ସାର୍ବଜନିକ ସ୍ବାସ୍ଥ୍ୟ ଉପଯୋଗ ପାଇଁ ଟିକାର ଶୁଭାରମ୍ଭ କରିବାର ଯୋଜନା କରାଯାଇଛି। ଆଇସିଏମଆରର ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଭାରତ ବାୟୋଟେକ୍ ଜୋରଦାର ଉଦ୍ୟମ ଚଳାଇଛି।