banner
Breaking

କଟକ ଏସିବିରେ କରୋନା।

0

କଟକ,୨୨/୫(ଓଡ଼ିଆ ନ୍ୟୁଜ) କଟକ ବଡ଼ ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ଜଣେ କରୋନା ଆକ୍ରାନ୍ତ ମହିଳା ପ୍ରସବ କରିବା ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ବହୁ ଡାକ୍ତର ଓ କର୍ମଚାରୀ ସଙ୍ଗରୋଧରେ ଯିବେ ବୋଲି ଜଣାପଡିଛି। ଘଟଣାକୁ ନେଇ ଏସସିବି ଅଧୀକ୍ଷକ ପ୍ରଫେସର ଡା. ଅନ୍ନଦା ପଟ୍ଟନାୟକ, କରୋନା ନୋଡାଲ ଅଫିସର ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ ଓ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ଉଭୟ ମା ଓ ନବଜାତ ଶିଶୁଙ୍କୁ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲ ପଠାଯିବାକୁ ସ୍ଥିର କରାଯାଇଛି।ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉଭୟ ମା’ ଓ ଶିଶୁ ଭୁବନେଶ୍ୱର ଯିବେ ବୋଲି ଏସସିବିରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ମେଡିକାଲ ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କୁ ଉକ୍ତ କାର୍ୟ୍ୟର ସଂଯୋଜକଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ ମହିଳା ଶିଶୁକନ୍ୟା ଜନ୍ମ କରିବା ପରେ ଏବେ ପ୍ରସୂତି ରୋଗ ବିଭାଗକୁ ବିଶୋଧନ କରାଯିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, ସମ୍ପୃକ୍ତ ମହିଳାଙ୍କ ଘର ପୁରୀ ଜିଲାରେ। ସେ ସ୍ୱାମୀଙ୍କ ସହିତ ସୁରତରୁ ଫେରିଥିଲେ। ୧୮ ତାରିଖରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୯ରେ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ତାଙ୍କ ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏସସିବିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ମହିଳାଙ୍କ ଭ୍ରମଣ ଇତିହାସ ଦେଖିବା ପରେ ତାଙ୍କୁ ପ୍ରସୂତି ରୋଗ ବିଭାଗରେ ଆଇସୋଲେସନ କରି ରଖାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଅନ୍ୟ ରୋଗୀମାନେ ଆସି ନ ଥିବା ଏହି ଅଧିକାରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.