banner
Breaking

ପ୍ରବାସୀ ସତର୍କ ରହିଲେ କରୋନା ବ୍ୟାପିବ ନାହିଁ।

0

ଭୁବନେଶ୍ୱର, ୧୩ା୫(ଓଡ଼ିଆ ନ୍ୟୁଜ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିଲେ ସଂକ୍ରମଣ ହ୍ରାସ ପାଇବ। ଅବଶ୍ୟ କିଛି ନୂଆ ପଜିଟିଭ୍‌ ମାମଲା ସାମ୍ନାକୁ ଆସିବ, କିନ୍ତୁ ସେମାନଙ୍କୁ ଚିକିତ୍ସା କରାଯାଇ ସୁସ୍ଥ କରିହେବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି।
ଭୁବନେଶ୍ୱରରୁ ଏବେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇଛି। ଏଠାରେ ହଜାର ହଜାର ପ୍ରବାସୀ ଓହ୍ଲାଇବେ। ତେଣୁ ପ୍ରମୁଖ ଶାସନ ସଚିବ ଗର୍ଗ ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂରେ କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନରଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଭୁବନେଶ୍ୱରକୁ ବିମାନ ଓ ରେଳ ଦ୍ୱାରା ଫେରୁଥିବା ପ୍ରବାସୀଙ୍କ ପାଇଁ କେତେକ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବର୍ତ୍ତମାନ କେତେଜଣ ଫେରନ୍ତାଙ୍କୁ ବିଏମ୍‌ସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବା ସମୟରେ ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ସହ ବିରୋଧ କରାଯାଉଥିବା ନଜରକୁ ଆସିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ସମୟରେ କିଛି ସ୍ଥାନରେ ଆକ୍ରାନ୍ତ ତଥା ତାଙ୍କ ପରିବାର ସଦସ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଉଥିବା ଅଭିଯୋଗ ହେଉଛି। ତେଣୁ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ପରିବର୍ତ୍ତିତ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଫେରନ୍ତା ଓ ତାଙ୍କ ପରିବାର ସଦସ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ପଡୋଶୀ ସେମାନଙ୍କୁ ସହଯୋଗ କରିବା ପାଇଁ ବିଏମ୍‌ସି ଅନୁରୋଧ କରିଛି। ଯଦି କେହି ପଡ଼ୋଶୀ ସହଯୋଗ କରିବାକୁ ରାଜି ନ ହୁଅନ୍ତି, ତେବେ ଦୈନିକ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସୁଥିବା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କୁ ଆବଶ୍ୟକ ସାମଗ୍ରୀର ତାଲିକା ପ୍ରଦାନ କରିବାକୁ କୁହାଯାଇଛି। ସମ୍ପୃକ୍ତ ଅଙ୍ଗନଓ୍ବାଡି ଓ ଆଶାକର୍ମୀ ଉକ୍ତ ତାଲିକା ବିଏମ୍‌ସିକୁ ଦେବା ପରେ କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘରେ ସାମଗ୍ରୀ ପହଞ୍ଚତ୍ବାର ବ୍ୟବସ୍ଥା କରାଯିବ। ନଚେତ୍‌ ସେମାନେ ବିଏମ୍‌ସିର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ସୁବିଧାର ମଧ୍ୟ ଲାଭ ଉଠାଇପାରିବେ। ଅନ୍ୟପକ୍ଷରେ କେବଳ ବିଏମ୍‌ସି କର୍ତ୍ତୃପକ୍ଷ ନୁହନ୍ତି, କମିଶନରେଟ୍‌ ପୋଲିସ୍‌ର ବିଭିନ୍ନ ଥାନା କର୍ତ୍ତୃପକ୍ଷ ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ରଖିପାରିବେ। ଏହାପରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ଘର ନମ୍ବର ସହ ସମସ୍ତ ବିବରଣୀ ବିଏମ୍‌ସିକୁ ଦେବେ। ଏଥିସହ ଉକ୍ତ ଘର ସମ୍ମୁଖରେ ହୋମ୍‌ କ୍ୱାରାଣ୍ଟାଇନ ଷ୍ଟିକର ଲଗାଇବେ ବୋଲି ସାହୁ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.