banner
Breaking

ଲଜ୍ଜା ଅଥବା ଭୟ କଲେ ପରିବାର ପରିଜନ ବୁଡିଯିବେ। ୧୦୪ କୁ କଲ କରନ୍ତୁ ସରକାର ମାଗଣାରେ ସମସ୍ତ ସେବା ଯୋଗାଇଦେବେ-ବାଗଚୀ

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୪।୪(ଓଡ଼ିଆ ନ୍ୟୁଜ) : ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ବ୍ୟକ୍ତି ନିର୍ଭୟରେ ଆଗକୁ ଆସନ୍ତୁ । ଏବେ ଲୁଚାଛପାର ସମୟ ନୂହେଁ । କାରଣ ସେଠାକୁ ଯାଇଥିବା ବ୍ୟକ୍ତି ସଂକ୍ରମିତ ହେବାକୁ ଯାଇ ନ ଥିଲେ କିମ୍ବା ସଂକ୍ରମଣ ଆଣିବାକୁ ଯାଇ ନ ଥିଲେ। ସେଥିପାଇଁ ସେମାନେ ଲଜ୍ଜା ଅଥବା ଭୟ କରିବାର କୌଣସି କାରଣ ନାହିଁ । ଏପରି କଲେ ସେମାନଙ୍କର ପରିବାର ଓ ପରିଜନ ବୁଡିଯିବେ । ଏହାଛଡା ଗୋଷ୍ଠୀ ଏବଂ ଧାର୍ମିକ ନେତାଙ୍କୁ ଅନୁରୋଧ ସେମାନେ ସନ୍ଦିଗ୍ଧ ମାନଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ l ସେହିପରି ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି । ସମସ୍ତଙ୍କର ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୨୫ଙ୍କ ନେଗଟିଭ୍ ଆସିଛି l ୩ ଜଣ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି l ସେମାନେ କଟକ, ଯାଜପୁର, ପୁରୀ ଅଞ୍ଚଳର। ଆହୁରି ଅଧିକ ଲୋକଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉକ୍ତ ଧର୍ମସଭାକୁ ଯାଇଥିବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ୧୦୪ ନମ୍ବରରେ ଫୋନ କରି ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ନିଜେ ନିଜେ ସ୍ଵେଚ୍ଛାକୃତ ଭାବେ ଚିହ୍ନଟ ହେବାକୁ କୁହାଯାଇଛିl ଆବଶ୍ୟକସ୍ଥଳେ ସରକାର ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଯଦି ସେପରି କେହି ବ୍ୟକ୍ତି ଅଛନ୍ତି ତେବେ ସେ ୨୪ ଘଣ୍ଟା ମଧ୍ୟରେ ନିର୍ଭୟରେ ଆଗକୁ ଆସନ୍ତୁ । ଏପରିକି ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଯଥା ମାଆ ଭଉଣୀ ମାନଙ୍କୁ ଲୋକଙ୍କୁ ବୁଝାଇ ଆଗକୁ ଆଣିବାକୁ କହିଛନ୍ତି। ସେ ଆହୁରି କହିଛନ୍ତି ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସିଥିବା ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ। ଯଦି ସେମାନଙ୍କ ନିକଟକୁ ଶ୍ୱାସ କଷ୍ଟ ପାଉଥିବା ବ୍ୟକ୍ତି ଓ ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଆସିଥିବେ, ତେବେ ତାଙ୍କର ସମସ୍ତଦ ବିବରଣୀ ସରକାରଙ୍କୁ ଦେବାକୁ ପଡ଼ିବ। ଏଥିରେ ଯଦି ଅନ୍ୟଥା ହୁଏ ତାହେଲେ ସରକାରଙ୍କ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏଥିରେ କୌଣସି ହସ୍ପିଟାଲ ଢିଲା କରିବେ, ତେବେ ଉକ୍ତ ହସ୍ପିଟାଲକୁ ସିଲ୍ କରିବା ସହ ଲାଇସେନ୍ସ ମଧ୍ୟ ବ୍ୟାଜ୍ୟାପ୍ତ କରାଯିବାର ଚେତାବନୀ ଦେଇଛନ୍ତି।
ଶେଷରେ ସ°କ୍ରମିତଙ୍କ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ କବଳରେ ୨୦୫ ଦେଶ ଏବଂ ୨ ଜାହାଜ ରହିଛି। ଶୁକ୍ରବାର ସମଗ୍ର ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଏହି ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୯୭୩ ରେ ପହଞ୍ଚିଛି। ମୃତକଙ୍କ ସଂଖ୍ଯା ୫୩,୩୨୨ ଥିବା ବେଳେ ଶନିବାର ଏହା ୫୯,୪୦୩ ରେ ପହଁଞ୍ଚିଛି। ସେହିଭଳି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୫ ଥିବା ବେଳେ ଶନିବାର ଏହା ୨୯୦୨ ଟପିଛି। କରୋନାରେ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ଓଡିଶାରେ ମୋଟ ୧୩୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୨୦ ପଜିଟିଭ ଚିହ୍ନଟ କରାଯାଇଛି। ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ଡାକ୍ତରଖାନାରେ ପୃଥକବାସ ରେ ୯୧ ଜଣ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.