banner
Breaking

ରାଜଧାନୀ କରୋନା ହଟସ୍ପଟ, କିନ୍ତୁ ପ୍ରଶାସନ ଢିଲା

0

ଭୁବନେଶ୍ୱର, ୨୨।୧ (ବ୍ୟୁରୋ): କଟକଣା କଡ଼ା, ହେଲେ କାର୍ଯ୍ୟକାରୀ ଶୂନ। ପୋଲିସ, ପ୍ରଶାସନଠାରୁ ସାଧାରଣ ଜନତା ସମସ୍ତେ ଢିଲା। ଯେଉଁଥିପାଇଁ ସଂକ୍ରମଣ ଓ ସକ୍ରିୟ ଆକ୍ରାନ୍ତ ସଂଖ୍ୟାରେ ଦେଶର ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ତେବେ ରାଜଧାନୀ ଭୁବନେଶ୍ୱର ପାଇଁ ରାଜ୍ୟର ସ୍ଥିତି ବିଗିଡିବାରେ ଲାଗିଛି ବୋଲି କୁହାଯାଉଛି। ରାଜ୍ୟରେ ସଂକ୍ରମଣ କମିଥିଲେ ମଧ୍ୟ ଭୁବନେଶ୍ୱରରେ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଯେଉଁଠି ଦେଖିବ ସେଠି କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ରାସ୍ତାଘାଟ, ହାଟ, ବଜାରରେ ଅସମ୍ଭାଳ ଭିଡ଼ ହେଉଥିବାବେଳେ ହଲ୍‌, ମଲ୍‌, ପ୍ରେକ୍ଷାଳୟ, କାର୍ଯ୍ୟାଳୟରେ ବି ନିୟମ ଠିକ୍‌ ଭାବେ ପାଳନ ହେଉ ନାହିଁ। ସାମାଜିକ ଦୂରତା ଦୂରେ ଥାଉ, ଠିକ୍‌ ଭାବେ ମାସ୍କ ଓ ଅନ୍ୟାନ୍ୟ ନିର୍ଦ୍ଦେଶ ଉଲ୍ଲଂଘନ ହେଉଛି। ଦେଖିଲେ ଲାଗୁଛି କାହାର ଯେମିତି କରୋନାକୁ ଆଉ ଡର ନାହିଁ। ଭିଡ଼ ଭିତରେ ବି ବରିଷ୍ଠ ଓ ଛୋଟ ପିଲାଙ୍କୁ ଦେଖିବାକୁ ମିଳୁଛି। ଲୋକଙ୍କର ଏପରି ଖାମଖିଆଲ ମନୋଭାବ ପାଇଁ କରୋନା, ଓମିକ୍ରନ୍‌ ଭଳି ଭୂତାଣୁ ଦ୍ରୁତଗତିରେ ମାଡ଼ି ଚାଲିଛି।

ଲହର ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହର ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ କରିଛି। କମିଶନରେଟ ପୋଲିସ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା କହୁଛି। କିନ୍ତୁ ସହରର ପ୍ରତିଦିନର ବାସ୍ତବ ଚିତ୍ରକୁ ଦେଖିଲେ, କଟକଣା କରି ପୋଲିସ ଓ ପ୍ରଶାସନ ପୂରା ଚୁପ୍‌ ବସିଛି। ସହରର ପ୍ରମୁଖ ସ୍ଥାନ ୟୁନିଟ୍‌-୧ ମାର୍କେ, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ, ୟୁନିଟ୍‌-୪ ମାର୍କେଟ, ବାପୁଜୀନଗର, ରାଜମହଲ, ରସୁଲଗଡ଼, ଆଚାର୍ଯ୍ୟବିହାର,ଚନ୍ଦ୍ରଶେଖରପୁର, ଡମଣା,ଶୌଳଶ୍ରୀବିହାର,ପଟିଆ ଆଦି ସ୍ଥାନରେ ଲୋକଙ୍କ ଭିଡ଼ ଲାଗି ରହୁଛି।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ହାଟ ବାଟକୁ ଉଠି ଆସିଛି। ଲାଗି ଲାଗି ଦୋକାନ ପଡି ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ୫୦ ପ୍ରତିଶତ ଲୋକଙ୍କୁ ନେଇ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିୟମ ରହିଛି। ପୁଣି ସିଟ୍‌ ଛାଡ଼ି ଅନ୍ୟ ସିଟ୍‌ରେ ଲୋକଙ୍କୁ ବସିବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରେକ୍ଷାଳୟରେ ବସିଥିବା ସମସ୍ତେ ମାସ୍କ ପିନ୍ଧିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଅଧିକାଂଶ ସ୍ଥାନରେ ସେପରି ହେଉନାହିଁ। ଗୁରୁବାର ଇଡ୍‌କଲ ଅଡିଟୋରିୟମ୍‌ଠାରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଏଭଳି ଉଲ୍ଲଂଘନ ନଜରକୁ ଆସିଥିଲା। ପ୍ରେକ୍ଷାଳୟର ପୂରା ସିଟ୍‌ ଭର୍ତ୍ତି ଥିବାବେଳେ ବହୁ ଲୋକ ଛିଡା ହୋଇ କାର୍ଯ୍ୟକ୍ରମ ଦେଖୁଥିଲେ। ପୁଣି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିଲା।
ମେଟ୍ରୋ ସହରରେ ଚାଲୁଥିବା ମୋ ବସ୍‌ ଗୁଡିକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ବସ୍‌ରେ ଯେତିକି ସିଟ୍‌ ଅଛି ସେତିକି ଯାତ୍ରୀ ଯିବାର ନିୟମ ରହିଛି। ମାତ୍ର ବସ୍‌ଗୁଡିକରେ ଏକାଧିକ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଛନ୍ତି। ମୋ ବସ୍‌ରେ ଯାତ୍ରା ଭଡ଼ା କମ୍‌ ରହୁଥିବାରୁ ସହର ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋ ଅପେକ୍ଷା ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି।
ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରାର୍ଥୀମାନେ ଜଣେ ସମର୍ଥକଙ୍କୁ ନେଇ ପ୍ରାର୍ଥତ୍ପତ୍ର ଦାଖଲ ଓ ୫ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ପ୍ରାର୍ଥୀମାନେ ଏକାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ନାମାଙ୍କନପତ୍ର ଦାଖଲ କରୁଥିବା ଦେଖାଯାଇଥିଲା। ତେବେ ଶୁକ୍ରବାର ଶେଷ ଦିନରେ ଭୁବନେଶ୍ୱର ଏଡିଏମ୍‌ ଅଫିସ ସହ ଅନ୍ୟ କେତେକ ସ୍ଥାନରେ କୋଭିଡ୍‌ କଟକଣା ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.