ଓ୍ବାଶିଂଟନ ,୨୮।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସାମାଜିକ ଦୂରତା, ମାସ୍କ୍ ବ୍ୟବହାର, ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର ଆଦି ନେଇ ଲୋକଙ୍କ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଭାରତରେ କରୋନା ଭୟ ଯୋଗୁ ୧୨ ପ୍ରତିଶତ ଲୋକଙ୍କ ଆଖିକୁ ନିଦ ନାହିଁ। ଅପରପକ୍ଷରେ ୪୦ ପ୍ରତିଶତ ଭାରତୀୟ କରୋନା ସମ୍ପର୍କରେ ଚିନ୍ତା କରୁଛନ୍ତି। ଏସମ୍ପର୍କରେ ଏସିଆନ୍ ଜର୍ନାଲ୍ ଅଫ୍ ସାଇକାଇଟ୍ରିରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଆମେରିକାରେ ୪୫ ପ୍ରତିଶତ ଲୋକଙ୍କ ମାନସିକ ସ୍ଥିତି କରୋନା ଯୋଗୁ ଖରାପ ହୋଇଯାଇଥିବା କେଜର ଫ୍ୟାମିଲି ଫାଉଣ୍ଡେଶନ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ବ୍ରିଟେନ୍ର ଶେଫିଲ୍ଡ୍ ଏବଂ ଅଲ୍ସଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରରେ ଦର୍ଶାଯାଇଛି ଯେ, ଲକ୍ଡାଉନ୍ ଯୋଗୁ ସାରା ପୃଥିବୀର ୩୮ ପ୍ରତିଶତ ଲୋକ ମାନସିକ ରୋଗଗ୍ରସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଭାରତର କେରଳରେ ଲକ୍ଡାଉନ୍ ଜାରି ହେବାର ପ୍ରଥମ ୧୦୦ ଘଣ୍ଟା ମଧ୍ୟରେ ୭ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ମଦ ଦୋକାନ ବନ୍ଦ ହେବାରୁ ଲୋକେ ଏଭଳି କରିଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ଲୋକଙ୍କ ପାଇଁ ଆଇନ ବ୍ୟବସ୍ଥା କୋହଳ କରିଥିଲେ। ଡାକ୍ତରଙ୍କ ଦ୍ୱାରା ଲିଖିତ ଅନୁମତି ପତ୍ର ଦେଖାଇଲେ ସେମାନଙ୍କୁ ମଦ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।




