banner
Breaking

ଯୁବପିଢ଼ି ଘରକୁ ଆଣୁଛନ୍ତି କରୋନା।

0

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପୁଛି। ତେଣୁ ଠିକ୍‌ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଶୁକ୍ରବାର କଟକ ଏସ୍‌ସିବି ମେଡିକାଲର ପ୍ରଫେସର ଡା. ନିବେଦିତା ପାଣି ଯୋଗଦେଇ ମାସ୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ, ମାସ୍କକୁ ଠିକ୍‌ ଭାବେ ବ୍ୟବହାର କଲେ ତାହା ବିଶଲ୍ୟକରଣୀ ଭଳି କାମ କରିବ। ବଜାରରେ ମିଳୁଥିବା ମୁଖ୍ୟତଃ ୩ ପ୍ରକାରର ମାସ୍କ ଯେପରି କି କଟନ, ସର୍ଜିକାଲ ଓ ଏନ୍‌-୯୫ ପିନ୍ଧିବା ପୂର୍ବରୁ ସତର୍କ ରହିବା ଜରୁରୀ। କଟନ ବା କପଡ଼ା ମାସ୍କକୁ ସାବୁନରେ ସଫା କରି ପୁଣି ବ୍ୟବହାର କରିପାରିବେ। କିନ୍ତୁ ସର୍ଜିକାଲ ମାସ୍କକୁ ଧୋଇକି ପୁଣି ଥରେ ବ୍ୟବହାର କରାଯାଇପାରିବ ନାହିଁ। ମାସ୍କ ପିନ୍ଧିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ। ମାସ୍କର ସମ୍ମୁଖ ଭାଗକୁ ଧରି କାଢ଼ନ୍ତୁ ନାହିଁ। ମାସ୍କ ପିନ୍ଧିବା ପୂର୍ବରୁ ଓ ଓହ୍ଲାଇଲାବେଳେ ହାତ ସାନିଟାଇଜ୍‌ କରିବା ଉଚିତ। ଏଥିସହ ମାସ୍କ ଯେପରି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏନ୍‌-୯୫ ମାସ୍କ ୯୫% ପ୍ରତିଶତ ସଂକ୍ରମଣକୁ ରୋକିପାରେ। ହୋମ୍‌ ଆଇସୋଲେଶନରେ ଥିବା ରୋଗୀ ମଧ୍ୟ ଡବଲ ଲେୟାର ଥିବା ମାସ୍କ ପିନ୍ଧିବା ଜରୁରୀ। ରୋଗୀଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ଡବଲ ଲେୟାର ମାସ୍କ ପିନ୍ଧିବା ଦରକାର। କରୋନା ସମୟରେ କୌଣସି ବଡ଼ କାମ ନ ଥିଲେ ବାହାରକୁ ନ ଯାଆନ୍ତୁ ବୋଲି ଡା. ପାଣି ପରାମର୍ଶ ଦେଇଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବା ସହ ମାସ୍କକୁ ଭଲ ଭାବେ ପିନ୍ଧିବାର ଆବଶ୍ୟକତା ରହିଛି। ସେହିଭଳି ଘର ଭିତରୁ ବାହାରକୁ ନ ଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମଣ ହେଉଛନ୍ତି। ଘରର ଅନ୍ୟ ଯୁବପିଢ଼ି କରୋନା ନିୟମକୁ ପାଳନ କରୁ ନ ଥିବାରୁ ଏଭଳି ହେଉଛି। ତେଣୁ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ମାସ୍କ ପିନ୍ଧିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ବୋଲି ଡା. ପାଣି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.