banner
Breaking

ପ୍ରଥମ ଷ୍ଟେନ ଠାରୁ ଶୀଘ୍ର ବ୍ୟାପୁଛି ଦ୍ବିତୀୟ ଷ୍ଟେନ।

0

ଭୁବନେଶ୍ୱର,୨୯।୪(ବ୍ୟୁରୋ):ରାଜ୍ୟରେ ବଢୁଥିବା କୋଭିଡ୍‌ ସଂକ୍ରମଣ ଭିତରେ ବୁଧବାର ରାଜ୍ୟବାସୀଙ୍କ ବିଭିନ୍ନ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଦ୍ୱିତୀୟ ଲହରରେ ଲୋକମାନେ କିପରି ସୁରକ୍ଷିତ ରହିବେ ସେ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଅଧିକାଂଶ ସମୟରେ ଦେଖାଯାଇଛି ଗୋଟିଏ ମହାମାରୀର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରର ବେଗ ଅଧିକ ଥାଏ। ସଂକ୍ରମଣ ଶୀଘ୍ର ବ୍ୟାପିଥାଏ। ଏଥର କରୋନା ସଂକ୍ରମଣ ବଢ଼ିବାର ଏକାଧିକ କାରଣ ରହିଛି। କରୋନାର ଏକାଧିକ ରୂପ ଯୋଗୁ ସଂକ୍ରମଣ ବଢୁଛି। ଲୋକଙ୍କ ସତର୍କତା କମିବା ମଧ୍ୟ ସଂକ୍ରମଣ ବଢ଼ିବାର ଅନ୍ୟତମ କାରଣ। କିନ୍ତୁ ଆମେ ପୂର୍ବଭଳି ସତର୍କ ରହିଲେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବ। ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ। ଏଥିସହ ଯଦି କାହା ପାଖରେ କୋଭିଡ୍‌ର ଲକ୍ଷଣ ପ୍ରକାଶ ପାଉଛି, ତେବେ ସେ ତୁରନ୍ତ ଯାଇ ପରୀକ୍ଷା କରାଇନେବା ଉଚିତ୍‌। ଟିକା ନେଇ ମଧ୍ୟ କୋଭିଡ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ନିଜକୁ ସଙ୍ଗରୋଧରେ ରଖିବା ସହିତ ୩ ରୁ ୫ ଦିନ ମଧ୍ୟରେ ପରୀକ୍ଷା କରାନ୍ତୁ। ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ବି ଯଦି ଲକ୍ଷଣ ଜାରି ରହୁଛି, ତେବେ ଆଉଥରେ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ଜଣେ ବ୍ୟକ୍ତି ନିଜର ନମୁନା ପରୀକ୍ଷା ପାଇଁ ଦେଇଥିଲେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ସଙ୍ଗରୋଧରେ ରଖନ୍ତୁ। କୋଭିଡ୍‌ର ସମସ୍ତ ନିୟମ ପାଳନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ଡା. ପତି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବଶ୍ୟକସ୍ଥଳେ ଲୋକମାନେ ୧୦୪ ଓ ୧୯୨୯ ନମ୍ବରକୁ ଡାଏଲ କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଗୋଟିଏ ପରିବାରର ସମସ୍ତେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେଲେ ସେମାନେ ସମସ୍ତେ ସାଙ୍ଗ ହୋଇ ରହିପାରିବେ। ହେଲେ ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.