banner
Breaking

ଡିସେମ୍ବର ୨୧ ରୁ କରୋନା ଟୀକା।

0

ନୂଆଦିଲ୍ଲୀ: ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ମଡେର୍ଣ୍ଣା ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୪.୧% ସଫଳ ରହିଛି। ​‌​‌ସୋମବାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଫଳ ଆଧାରରେ ଟିକାର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ମଡେର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ତାଲ ଜାକ୍ସ କହିଛନ୍ତି ଯେ କମ୍ପାନୀ ପ୍ରସ୍ତୁତ ଟିକା ବେଶ ପ୍ରଭାବଶାଳୀ ରହିଛି। ଏହାର ନିରାପତ୍ତା ଦୃଷ୍ଟି କୋଣରୁ ସେପରି କୌଣସି ଉଦ୍‌ବେଗ ନାହିଁ। ତେଣୁ କରୋନା ମହାମାରୀକୁ ମୁକାବିଲା କ୍ଷେତ୍ରରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି।
ଟିକାର ସଫଳତା ପରେ ଏହାର ଜରୁରୀ ବ୍ୟବହାର ନିମନ୍ତେ ଆମେରିକା ଓ ୟୁରୋପୀୟ ୟୁନିୟନ (ଇୟୁ)ରେ ଆବେଦନ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଗୁରୁତର ସ୍ଥିତିରେ ଏହି ଟିକା ଶହେ ପ୍ରତିଶତ ସଫଳ ବୋଲି କହିଛି କମ୍ପାନି। ଡିସେମ୍ବର ୨୧ରେ ଏହାର ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି। ୩୦ ହଜାର ସ୍ବେଚ୍ଛାସେବୀଙ୍କ ଠାରେ ମଡେର୍ଣ୍ଣା ଟିକାର ପରୀକ୍ଷଣ ହୋଇଥିଲା, ଯାହା ୯୪.୧ ପ୍ରତିଶତ ଫଳପ୍ରଦ ହୋଇଛି। କରୋନା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରିବାରେ ମଡେର୍ଣ୍ଣା ହେଉଛି ଆମେରିକାର ଦ୍ବିତୀୟ କମ୍ପାନୀ। ଏହା ପୂର୍ବରୁ ଆମେରିକାର ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ କମ୍ପାନୀ ବାୟୋଟେକ୍‌ ଏସଇ ଦ୍ବାରା ପ୍ରସ୍ତୁତ ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି। ଫାଇଜର ଟିକା ୯୫% ପ୍ରଭାବଶାଳୀ ରହିଥିବା କୁହାଯାଇଛି।
ଅପରପକ୍ଷରେ କରୋନା ଟିକା ପ୍ରସ୍ତୁତିର ସମୀକ୍ଷା କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତର ତିନି କମ୍ପାନୀର ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡକ୍ଟର ରେଡ୍ଡିସ୍‌ ଟିମ୍‌ର ବୈଜ୍ଞାନିକଙ୍କ ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଟିକାର ବଣ୍ଟନ ଓ ସଂରକ୍ଷଣ ସମ୍ପର୍କରେ ପ୍ରସ୍ତାବ ଲୋଡିଥିଲେ। ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ ​‌ଆମେରିକାର ସି​‌ଏଟଲସ୍ଥିତ ଏଚ୍‌ଡିଟି ବାୟୋଟେକ କର୍ପୋରେସନ ସହିତ ମିଶି ଆରଏନଏ ଟିକା (ଏଚଜିସିଓ୧୯) ତିଆରି କରୁଛି। ସେହିପରି ପୁଣେର ବାୟୋଲୋଜିକାଲ ଇ ଆମେରିକାର ଡାଇନାଭାକ୍ସ ଟେକ୍ନୋଲୋଜି କର୍ପୋରେସନ ଓ ବେଲର କଲେଜ ଅଫ ମେଡିସିନ ସହିତ ମିଶି ଟିକା ପ୍ରସ୍ତୁତ କରୁଛି। ଡକ୍ଟର ରେଡ୍ଡିସ୍‌ କମ୍ପାନୀ ରୁଷ୍‌ର ସ୍ପୁଟନିକ-୫ ଟିକାକୁ ଭାରତରେ ବିକଶିତ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶନିବାର ପୁଣେର ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ, ଅହମଦାବାଦରେ ଜାଇଡସ୍ ବାୟୋଟେକ ପାର୍କ ଓ ହାଇଦରାବାଦରେ ଭାରତ ବାୟୋଟେକ ପ୍ରତିଷ୍ଠାନକୁ ଗସ୍ତ କରି କରୋନା ଟିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଭାରତରେ କରୋନା ମହାମାରୀ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଡିସେମ୍ବର ୪ ତାରିଖ (ଶୁକ୍ରବାର) ପୂର୍ବାହ୍ଣ ୧୦ଟା ୩୦ରେ ଏହି ବୈଠକ ହେବ। ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏହି ବୈଠକକୁ ଆୟୋଜନ କରୁଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ପ୍ରମୁଖ ଯୋଗଦେବାର ସମ୍ଭାବନା ଅଛି। କରୋନା ମହମାରୀ ଆରମ୍ଭ ପରଠାରୁ ସରକାରଙ୍କର ଏହା ଦ୍ବିତୀୟ ସର୍ବଦଳୀୟ ବୈଠକ ହେବ। କରୋନା ମହାମାରୀ ପାଇଁ ସରକାର ସଂସଦର ଶୀତ ଅଧିବେଶନକୁ ବଜେଟ ଅଧିବେଶନ ସହିତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହି ସର୍ବଦଳୀୟ ବୈଠକ ହେବ।

Khansweb Solution Bhubaneswar

Leave A Reply

Your email address will not be published.