banner
Breaking

ଓଡିଶାବାସୀଙ୍କୁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସୂଚନା ଦେଲେ ବାଗଚୀ

0

ଭୁବନେଶ୍ବର,୧୩/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଯାମିନୀ ଷଡ଼ଙ୍ଗୀ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ସୂଚନା ଦେଇଛନ୍ତି।ରାଜ୍ୟରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ଆଜି ସୁଦ୍ଧା ୧୬ଟି ଜିଲ୍ଲାରେ ୧୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍† କାର୍ଯ୍ୟ କରୁଛି। ଏହି ସବୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି, ଢେଙ୍କାନାଳ, ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଛି। ଏସବୁଗୁଡ଼ିକରେ ମୋଟ ୨୭୯୦ଟି ଶଯ୍ୟା ରହିଛି। ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍‌ଜେସିକ୍ସ ଓ ଆଣ୍ଟିଇନ୍‌ଫ୍ଲାମେଟାରୀ ଉପଲବ୍ଧ ରହିଛି। ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତିନିପରସ୍ତ ସର୍ଜିକାଲ୍ ମାସ୍କ, ଏନ୍‌-୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଛି। ଅନୁରୂପ ଭାବରେ ଆଇସିୟୁ ଭେଣ୍ଟିଲେଟର୍‌, ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉି ୪ ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ନିର୍ଦେଶ ଦିଆଯାଇଛି। ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏସବୁରେ ୧ ଲକ୍ଷ ୬୨ ହଜାର ୬୫୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ରାସନ୍‌ କାର୍ଡଧାରୀଙ୍କୁ ମାସିକ ୫ କେଜି ଚାଉଳ ଓ ୧ କେଜି ଡାଲି ଆସନ୍ତା ତିନି ମାସ ପାଇଁ ମାଗଣା ପ୍ରଦାନ କରାଯିବ। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଦିଆଯାଉଥିବା ମାସିକ ରାସନ୍‌ ସାମଗ୍ରୀ ସହିତ ଏହି ଚାଉଳ ଓ ଡାଲି ପ୍ରଦାନ କରାଯିବ। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୫୧ ଲକ୍ଷ ୭ ହଜାର ୬୫୬ ହିତାଧିକାରୀଙ୍କୁ ଆଗତୁରା ଏପ୍ରିଲ୍‌, ମେ’ ଓ ଜୁନ୍‌ ମାସର ରାସନ୍‌ ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ୫୧ ଲକ୍ଷ ୪୬ ହଜାର ୬୯୬ ଜଣ ରାସନ୍‌ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବାବଦରେ ୫୧୪,୬୬,୯୬,୦୦୦ ଟଙ୍କା ପ୍ରଦାନ କରାଯାଇଛି। ବିଭିନ୍ନ ଶିଳ୍ପ ସଂସ୍ଥା†ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ସରକାରୀ ନିର୍ଦେଶନାମା ଅନୁସାରେ କର୍ମଚାରୀମାନେ ସଂପୃକ୍ତ ସଂସ୍ଥା ପରିସରରେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିବେ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନବାହନ ଚଳାଚଳ କରିବ। ସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକର ଯାନବାହନ ଚଳାଚଳ କଟକଣାମୁକ୍ତ ରହିବ। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ବୃକ୍ଷ ରୋପଣ, ନର୍ସରୀ କାର୍ଯ୍ୟକ୍ରମ, କେନ୍ଦୁପତ୍ର ତୋଳା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକ୍ରିବଟା, ବନ୍ୟପ୍ରାଣୀମାନଙ୍କ ନିମନ୍ତେ ଜଙ୍ଗଲରେ ଜଳାଶୟ ନିର୍ମାଣ ଓ ସେଗୁଡ଼ିକର ମରାମତି କାର୍ଯ୍ୟ କରାଯାଇପାରିବ। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ନିର୍ଦେଶକ୍ରମେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ବାରା ବିଭିନ୍ନ ଉତ୍ପାଦନ ଓ ବିପଣନ କାର୍ଯ୍ୟ ସମେତ ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରହିବ। ଲକ୍‌ଡାଉନ୍‌ ଘୋଷଣା ପରେ ସ୍ବଳ୍ପ ସମୟ ମଧ୍ୟରେ ୭୨ ହଜାରରୁ ଊର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ରାଜ୍ୟର ୪୧,୨୭,୦୫୦ ଗର୍ଭବତୀ, ପ୍ରସୂତି ଓ ଶିଶୁ ହିତାଧିକାରୀଙ୍କୁ ଶୁଖିଲା ରାସନ୍‌, ଅଣ୍ଡା (ସାପ୍ତାହିକ) ସେମାନଙ୍କ ଘରେ ବିତରଣ କରାଯାଇଛି। ସ୍ବତନ୍ତ୍ର ଭାବରେ ତାଲିମ୍‌ପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ†ସହାୟିକା ଗାଁ ଗାଁରେ ପ୍ରତି ଘରେ ସୂଚନା ପ୍ରଚାର ସାମଗ୍ରୀ ବିତରଣ କରି ସଚେତନତା ସୃଷ୍ଟି, ଗାଁକୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରି ସଙ୍ଗରୋଧରେ ରହିବା ନିମନ୍ତେ ପ୍ରବର୍ତ୍ତାଇବା, ଆଶାକର୍ମୀମାନଙ୍କ ସହ ସମନ୍ବୟ ରକ୍ଷା କରି ପ୍ରତ୍ୟେକ ଘରର ସ୍ବାସ୍ଥ୍ୟ ସମସ୍ୟାର ଡାଟାବେସ୍ ତିଆରି କରିବା, ପିଡିଏସ୍ ସାମଗ୍ରୀ ବିତରଣ ଏବଂ ବାର୍ଦ୍ଧବ୍ୟ ଭତ୍ତା ବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।ସେମାନଙ୍କ କଠିନ ପରିଶ୍ରମ, ସହଯୋଗ, ଉତ୍ସର୍ଗୀକୃତ କର୍ତ୍ତବ୍ୟନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭ ହଜାର ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି। ଆଜି ରାଜ୍ୟର ୫୪୭୩ ଗ୍ରାମ ପଞ୍ଚାୟତରେ ୩ ଲକ୍ଷ ୪୧ ହଜାର ୯୦୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ଟି ପୌରାଞ୍ଚଳରେ ୩୭ ହଜାର ୧୧ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଏପ୍ରିଲ୍‌ ୧୨ରୁ ଏପ୍ରିଲ୍‌ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨୨ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୧୮ଟି ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ବାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ, ଗୋଟିଏ ଗୁଜବ ସୃଷ୍ଟି ପାଇଁ ଓ ୨ଟି କୋଭିଡ୍-୧୯ ସମ୍ପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ। ବିଭିନ୍ନ ଅଭିଯୋଗରେ ୧୫୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୋମବାର ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୪୧୭୦ଟି ନମୂନା କୋଭିଡ୍-୧୯ ପରୀକ୍ଷା ପାଇଁ
ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୩ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୋମବାର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୫ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ବମିଖାଲ ସଂକ୍ରମଣ ପ୍ରତିରୋଧ ଅଞ୍ଚଳର ହୋଇଥିବାବେଳେ ପଜିଟିଭ୍ ନମ୍ବର ୭, ୮, ୨୨ ଓ ୩୯ଙ୍କର ପଡ଼ୋଶୀ ଅଟନ୍ତି। ଓଡ଼ିଶାରେ ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସୋମବାର ୧୧୬ ଜଣ କୋରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ସୁନ୍ଦରପଦା ଏବଂ ଯଦୁପୁର-ବେଗୁନିଆ ଅଞ୍ଚଳକୁ ଭୁବନେଶ୍ୱରର ସଂକ୍ରମଣ ପ୍ରତିରୋଧ ଅଞ୍ଚଳ (କଣ୍ଟେନ୍‌ମେଣ୍ଟ ଜୋନ୍‌) ମଧ୍ୟରୁ ବାଦ୍‌ ଦିଆଯାଇଛି। ସେହି ଅଞ୍ଚଳର ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି ଏବଂ ନିରୀକ୍ଷଣ ଜାରି ରହିଛି। ବର୍ତ୍ତମାନ ଭୁବନେଶ୍ୱରରେ କେବଳ ୩ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ରହିଛି। ବମିଖାଲ, ସତ୍ୟନଗର ଓ ମଧୁସୂଦନ ନଗର ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ୍ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.