banner
Breaking

ଜୁନ ମାସ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତର୍କ ଓ ସଚେତନ ରୁହନ୍ତୁ-ବାଗଚୀ

0

ଭୁବନେଶ୍ୱର,୭।୬(ବ୍ୟୁରୋ): ଓଡ଼ିଶା ପାଇଁ ଜୁନ୍‌ ମାସ ନିର୍ଣ୍ଣାୟକ ମାସ। ଏହା ପଛରେ ଦୁଇଟି କାରଣ ରହିଛି। ଗତ କିଛି ସପ୍ତାହରେ ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ଉପରେ କରୋନାର ପ୍ରଭାବ ପଡ଼ିଛି କି ନାହିଁ ତାହା ଆଉ ୧୫ ଦିନ ମଧ୍ୟରେ ଜଣାପଡ଼ିବ। ସେହି ଘାଟି ଡେଇଁଗଲେ ସମସ୍ତଙ୍କର ଉପରେ ବିପଦ ଅପେକ୍ଷାକୃତ ଭାବେ କମିଯିବ। ଦ୍ୱିତୀୟଟି ହେଲା ମୌସୁମୀ। ଅଳ୍ପ ଦିନ ମଧ୍ୟରେ ମୌସୁମୀ ଆସିବ। ଲଗାତାର ବର୍ଷାରେ ସମସ୍ତଙ୍କ ପାଇଁ ଥଣ୍ଡା, ଜ୍ୱରର ସମ୍ଭାବନା ରହିବ। ବାଦଲ ବର୍ଷାରେ ପାଣି କାଦୁଅରେ ବୁଲିଲେ ମାସ୍କ ହେଉ ଅବା ସାମାଜିକ ଦୂରତ୍ୱ କୁ ସାବଧାନତା ପାଣିରେ ଧୋଇହୋଇଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ମାସରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଥିବା ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁବତୋ ବାଗ୍‌ଚୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଜୁନ୍‌ ମାସର ଆସନ୍ନ ପରିସ୍ଥିତି ବିଷୟରେ ଜାଣିରଖନ୍ତୁ। ମାର୍ଚ୍ଚ ୧୩ ୨୦୨୦ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କୋଭିଡ-୧୯ ବିଷୟରେ ପ୍ରଥମଥର ପାଇଁ ସୂଚିତ କରିଥିଲେ। ଅଧିକାଂଶ ଲୋକଙ୍କର ଏ ବିଷୟରେ କିଛି ଧାରଣା ନ ଥିଲା। ଓଡ଼ିଶାରେ ସେତେବେଳେ କେହି କରୋନା ଆକ୍ରାନ୍ତ ନ ଥିଲେ। ହେଲେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୮୨। ରାଜ୍ୟରେ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇ ନମୁନା ପରୀକ୍ଷଣ ଆରମ୍ଭ ହୋଇଥିଲା। ଜିଲାରେ କୋଭିଡ ଡାକ୍ତରଖାନା ପ୍ରସ୍ତୁତ କରାଗଲା। ବିପୁଳ ପରିମାଣର ସାଜ ସରଞ୍ଜାମ ପ୍ରସ୍ତୁତ କରିବାର କାର୍ଯ୍ୟ କରାଗଲା। ଏଥିସହ ମାନବସମ୍ବଳ ପ୍ରସ୍ତୁତ କରାଯାଇଥିଲା।

ଆରମ୍ଭରୁ କରୋନା ବିଷୟରେ ୪ଟି କଥା ଜଣାଥିଲା। ପ୍ରଥମଟି ହେଲା କରୋନାର ପ୍ରତିରୋଧ ଅଛି, ପ୍ରତିଶେଧକ ନାହିଁ। କରୋନା ନିମୋନିଆ ଭଳି ରୋଗ ହେଲେ ବି, ବ୍ୟାପିବା ବେଳେ ବିସ୍ଫୋରଣର ଆକାର ନେଉଛି। କରୋନାରେ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାର ସର୍ବାଧିକ ଭୟ ରହୁଛି। ବିଶେଷକରି ବୟସାଧିକ ବ୍ୟକ୍ତିମାନଙ୍କଠାରେ ଅନ୍ୟାନ୍ୟ ଅସୁସ୍ଥତାର ଲକ୍ଷଣ ଥିଲେ ଏହାର ସମ୍ଭାବନା ଅଧିକ। ଶେଷରେ ସ୍ବଚ୍ଛତା, ସାମାଜିକ ଦୂରତ୍ୱ ଏବଂ ସଂଗରୋଧ ଜରିଆରେ ନିଜକୁ କିମ୍ବା ଘରେ ଥିବା ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମା ଏବଂ ଶିଶୁମାନଙ୍କୁ ବଞ୍ଚାଇପାରିବା। ସରକାର ପ୍ରଥମ ପର୍ଯ୍ୟାୟରେ ୮ ସହର ଓ ୫ ଜିଲାରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ବୋଲି ବାଗ୍‌ଚୀ ମଧ୍ୟ କହିଛନ୍ତି।
କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ଶ୍ରମିକମାନେ ଭାରତର ଅଧିକ ସଂକ୍ରମଣ ହୋଇଥିବା ରାଜ୍ୟମାନଙ୍କରୁ ଫେରିଥିଲେ। ଏମାନଙ୍କୁ ୬୭୯୮ ପଞ୍ଚାୟତରେ ୧୬୭୬୦ଟି ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇ ରଖାଯାଇଥିଲା। ଗତ ୩ ମାସ ମଧ୍ୟରେ ଓଡ଼ିଶାରେ ୯୫% ସଂକ୍ରମିତ ବ୍ୟକ୍ତିଙ୍କୁ ସଂଗରୋଧରେ ହିଁ ପରୀକ୍ଷା କରାଯାଇ ଚିହ୍ନଟ କରାଯାଇଛି। ଏବେ ଆସୁଛି ଜୁନ୍‌ ମାସ। ଚତୁର୍ଥ ପର୍ଯ୍ୟାୟର ସମୟ। ଏହା ହିଁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ପର୍ଯ୍ୟାୟଟି ସବୁଠାରୁ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତାର ମୂଳରେ ରହିଛି ଏକ ବିରାଟ ଦ୍ୱନ୍ଦ୍ୱ। ସେଇଟି ହେଲା ଜୀବନ ରହିବ ନା ଜୀବିକା ରହିବ? ଜୀବନକୁ ରକ୍ଷା କରିବାକୁ ହେଲେ ଜୀବିକାକୁ ବଞ୍ଚାଇବାକୁ ପଡ଼ିବ। ଅଥଚ ଜୀବିକାକୁ ସାଧାରଣ ପରିସ୍ଥିତିକୁ ନେଇ ଆସିଲେ ବ୍ୟକ୍ତି ଓ ଗୋଷ୍ଠୀସ୍ତରରେ ଅନୁଶାସନ କୋହଳର ଭୟ ରହିଛି। ଏଭଳି ପରିସ୍ଥିତିରେ କରୋନା ଭୁତାଣୁ ଜଙ୍ଗଲର ମଣିଷଖିଆ ବାଘ ପରି ସନ୍ତର୍ପଣରେ ଆସି ତାର ଶିକାରକୁ ବିସ୍ଫୋରଣର ବଳ ଦେଇ କାବୁ କରିପାରେ। ଏଣୁ ସମସ୍ତଙ୍କୁ ଜୀବନ-ଜୀବିକାର ଦ୍ୱନ୍ଦ୍ୱକୁ ବାସ୍ତବିକତାର ସହ ଗ୍ରହଣ କରିବାକୁ ପଡ଼ିବ। ନିଜକୁ, ନିଜ ପରିବାରକୁ , ନିଜ ସମାଜକୁ ଆସନ୍ନ ବିପଦରୁ ନିରାପଦ ସ୍ଥାନକୁ ନେବାକୁ ହେବ ବୋଲି ସୁବତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନା ବ୍ୟାପିବାର ପ୍ରଥମ ଦୁଇମାସରେ ଆମେରିକାରେ ୧୩,୮୯୮ଜଣ ଆକ୍ରାନ୍ତ ହୋଇଥିଲେ। ହେଲେ ଏହାର ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇ ୨,୮୩,୪୭୭ ହୋଇଥିଲା।ସେହିଭଳି ଭାରତରେ ପ୍ରଥମ ୬୦ ଦିନରେ ଆକ୍ରାନ୍ତ ସଂଖ୍ୟା ଥିଲା ୧୦୨୪ଜଣ। ଏହାର ୧୫ ଦିନ ପରେ ସଂଖ୍ୟା ୧୦ଗୁଣ ବଢ଼ି କରୋନା ସଂକ୍ରମିତ ୧୦୪୫୩ ହୋଇଥିଲା। ଶନିବାର ଦିନ ୧୨ଟା ସୁଦ୍ଧା ଆମେରିକାରେ ୧୯ ଲକ୍ଷ ୬୫ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭାରତରେ ସଂଖ୍ୟା ୨ ଲକ୍ଷ ୩୬ହଜାରରୁ ଅଧିକ ରହିଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ଭାରତ ୬ଷ୍ଠ ସ୍ଥାନରେ ପହଞ୍ଚିଲାଣି। ବନ୍ଧ ଭାଙ୍ଗି ବଢ଼ି ପାଣି ମାଡ଼ି ଆସିବା ଭଳି ଅବସ୍ଥାରେ ଭାରତରେ ରହିଛି। ପ୍ରବୀଣମାନଙ୍କ ମତରେ ଜୁନ ମଝିରୁ ଜୁଲାଇ ମଝି ସମୟ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଏଠାରେ ବିସ୍ଫୋରଣର ଆକାର ଗ୍ରହଣ କରିବାର ସମ୍ଭାବନା ଅଧିକ। ଭାରତର ୧୦୦ ଜିଲାରେ ୧୦୦% କରୋନା ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶାରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୀବନ ଏବଂ ଜୀବିକାକୁ ସମନ୍ବିତ କରିବା ପାଇଁ ବିମାନ, ବସ, ରେଳ ଚଳାଚଳ ଆରମ୍ଭ ହୋଇଛି। ଅର୍ଥନୀତିକୁ ସଜାଡ଼ିବାକୁ ଯାଇ ଚାଷ, କଳକାରଖାନାକୁ ପୂର୍ବପରି କରିବାକୁ ହେଲେ ସଚେତନ ରହିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।
ସେହିପରି କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍‌ ମାସ ଚତୁର୍ଥ ପର୍ଯ୍ୟାୟର ସମୟ। ଏହି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତିଟି ଘରର ସଦସ୍ୟ। ଏହି ପର୍ଯ୍ୟାୟର ସଫଳ ପରିଚାଳନାରେ ହିଁ ଆମ ସମସ୍ତଙ୍କର ଏବଂ ଆମର ପରପୀଢ଼ିର ଭବିଷ୍ୟତ ନିର୍ଭର କରିବ ବୋଲି ଶ୍ରୀଯୁକ୍ତ ସୁବ୍ରତୋ ବାଗ୍‌ଚୀ କହିଛନ୍ତି।
ସେହିପରି ବର୍ତ୍ତମାନ କ୍ଷେତ୍ରରେ କରୋନା ଏକ ମହାମାରୀ ବୋଲି ସମସ୍ତେ ଜାଣନ୍ତି। ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ଅସ୍ତ୍ରଶସ୍ତ୍ର ସାଧାରଣ ଲୋକ ହାତରେ ରହିଛି। ପରିଷ୍କାର ପରିଚ୍ଛନ୍ନ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖି ଚଳପ୍ରଚଳ ହେବା ଆଦୌ କଷ୍ଟସାଧ୍ୟ ନୁହେଁ। ରାତି ୭ଟାରୁ ସକାଳ ୭ଟା ଯାଏ ଘରେ ରହିବାକୁ ବିଶେଷକିଛି ତ୍ୟାଗ ସ୍ବିକାର କରିବାକୁ ପଡ଼ିବ ନାହିଁ। ସେହିଭଳି ଶଟ୍‌ଡାଉନ୍‌ ସମୟରେ ମଧ୍ୟ ଘରେ ରହିବା ଉଚିତ ସେ କହିଛନ୍ତି, କରୋନାକୁ ପରାସ୍ତ କରିବା ସମ୍ଭବ। ଜୁନ୍‌ ମାସ ୩୦ ଦିନର। ଦିନକୁ ୨୪ ଘଣ୍ଟା। ଅର୍ଥାତ ୭୨୦ ଘଣ୍ଟା ଆମକୁ କରୋନାଠୁ ଦୂରେଇ ରହିବାକୁ ହେବ। ଏହି ୭୨୦ ଘଣ୍ଟାରୁ ଯଦି ଜଣେ ଦିନକୁ ୧୦ ଘଣ୍ଟା ବହାରକୁ ନ ଯାଏ ଏବଂ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଘରେ ରୁହେ ତେବେ ୭୨୦ ଘଣ୍ଟାରୁ ୪୯୨ ଘଣ୍ଟା, କରୋନାଠୁ ଜଣେ ସୁରକ୍ଷିତ ରହିପାରିବ। ଏହାଠାରୁ ବଡ଼ କବଚ ନାହିଁ।

ଶୁକ୍ରବାର ସ୍ନାନଯାତ୍ରା ଥିଲା। ଗର୍ଭଗୃହରେ ସାହାଣ ମେଲା ରହୁଥିଲା। ଭକ୍ତର ଗହଳି ତାଙ୍କୁ ଖୁସି କରୁଥିଲା। ହେଲେ ଏବେ ଭଗବାନ ଏବେ ଶୃଙ୍ଖଳାରେ ରହିଛନ୍ତି। ସାମୟିକ କଷ୍ଟ ସ୍ବିକାରକୁ ଗ୍ରହଣ କରି ନେଇଛନ୍ତି। ଏଣୁ ଜୁନର ବିପତ୍ତି ଟଳିବା ପର୍ଯ୍ୟନ୍ତ ଶୃଙ୍ଖଳାରେ ରୁହନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।
ଜୁନ୍‌-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍‌ଡାଉନ୍‌ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଅର୍ଥ ମଧ୍ୟ ନୁହେଁ ‘ଅଲ୍‌ କ୍ଲିୟର’। ଯୁଦ୍ଧ ସମୟରେ ଶତ୍ରୁର ଆଶଙ୍କା ଚାଲିଯିବା ପରେ ସାଇରନ୍‌ ବଜାଇ ସମସ୍ତଙ୍କୁ ଅଲ୍‌ କ୍ଲିୟର ବା ସବୁଠିକ୍‌ ସୂଚନା ଦିଆଯାଇଥାଏ। ହେଲେ ଏବେ ଲକ୍‌ଡାଉନ୍‌ କୋହଳକୁ ଅଲ୍‌ କ୍ଲିୟର ଭାବିଲେ ବିପଦକୁ ଡାକି ଆଣିବା ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରକଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.