banner
Breaking

ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି- ସୁବ୍ରତୋ ବାଗଚୀ

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୬/୪(ଓଡ଼ିଆ ନ୍ୟୁଜ): ସୋମବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି ଯେ ଓଡ଼ିଶାରେ ତୃତୀୟ ସରକାରୀ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟାରମ୍ଭ କରିଛି। ମହାନଦୀ କୋଲ୍ ଫିଲଡସ୍‌ର ସହଯୋଗରେ ସୋଆ କ୍ୟାମ୍ପସ୍‌ରେ ନିର୍ମିତ ୫୦୦ ଶଯ୍ୟା ସହ ୨୫ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଥିବା ଏହି ହସ୍ପିଟାଲ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।ହସ୍ପିଟାଲ୍‌ର ଡାକ୍ତର ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ମତବିନିମୟ ପୂର୍ବକ କୋଭିଡ୍-୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି।
କୋଭିଡ୍-୧୯ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ଓ ପଦକ୍ଷେପକୁ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚପ୍ରଶଂସା କରିଛନ୍ତି।
ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି। କଟକରେ ଅଶ୍ୱିନୀ ହସ୍ପିଟାଲ୍, ଯାଜପୁରର ଡୁବୁରୀଠାରେ ଟାଟା ହସ୍ପିଟାଲ୍, କେଉଁଝର ଜିଲ୍ଲାର ଯୋଡ଼ାଠାରେ ଟାଟା ହସ୍ପିଟାଲ୍, ଖୋଦ୍ଧା ଜିଲ୍ଲାର ଭୁବନେଶ୍ୱରସ୍ଥିତ କିମସ୍ ଓ ସମ୍ ହସ୍ପିଟାଲ୍, ପୁରୀର ଆଇଡି ହସ୍ପିଟାଲ୍ ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ହାଇଟେକ୍ ମେଡିକାଲ କଲେଜ୍‌ରେ ଏହି ସେବା ଉପଲବ୍ଧ ହେଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ତଥା ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କୋଭିଡ୍-୧୯ ପରୀକ୍ଷଣ ସୁବିଧା(ଟେଷ୍ଟିଂ)କୁ ତ୍ୱରାନ୍ବିତ କରିବା ଏବଂ ଯଥା ସମ୍ଭବ ଅଧିକ ପରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।ବର୍ତ୍ତମାନ ତିନୋଟି ସ୍ଥାନରେ ଦୈନିକ ହାରାହାରି ୩୦୦ କୋଭିଡ୍-୧୯ ନମୁନା ପରୀକ୍ଷା କରାଯାଉଥିବାବେଳେ ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ୧୦୦୦କୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛି।ଖୁବ୍‌ଶୀଘ୍ର ଭିମ୍‌ସାର (ବୁର୍ଲା), ଏମ୍‌କେସିଜି(ବ୍ରହ୍ମପୁର)ରେ କୋଭିଡ୍-୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ପ୍ରସ୍ତୁତି ଜାରି ରହିଛି। – ଏହି ହସ୍ପିଟାଲ୍ ଦୁଇଟିକୁ କୋଭିଡ୍-୧୯ ପରୀକ୍ଷଣ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରହିଛି ଏବଂ ଖୁବ୍‌ଶୀଘ୍ର ଆଇସିଏମ୍ଆର୍‌ର ଅନୁମୋଦନ ପ୍ରାପ୍ତ ହେବାର ସମ୍ଭାବନା ରହିଛି। କୋଭିଡ୍-୧୯ ମୁକାବିଲା ପାଇଁ ସ୍ବାସ୍ଥ୍ୟସେବାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ର, ସ୍ବାସ୍ଥ୍ୟ ବିଭାଗ ପଦାଧିକାରୀ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମାଷ୍ଟର୍‌ ଟ୍ରେନର୍‌ମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଉଛି। ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏସ୍‌ସିବି(କଟକ)ର ୮୯୧ ଛାତ୍ରଛାତ୍ରୀ, ଏମ୍‌କେସିଜି(ବ୍ରହ୍ମପୁର)ର ୩୨୫ ଛାତ୍ରଛାତ୍ରୀ, ଭୀମ୍‌ସାର(ବୁର୍ଲା)ର ୩୦୦ ଛାତ୍ରଛାତ୍ରୀ ଓ ଏମ୍‌କେସିଜି (ବ୍ରହ୍ମପୁର)ର ୨୪୭ ଅଧ୍ୟାପକ ଓ ସ୍ନାତକ ଛାତ୍ରଙ୍କୁ ମିଶାଇ ପ୍ରାୟ ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟ ଅଧିକାରୀ ତାଲିମ ନେଇଛନ୍ତି। ଅନୁରୂପ ଭାବରେ, ୩୬୦ ଜିଲ୍ଲାସ୍ତରୀୟ ମାଷ୍ଟର୍‌ ଟ୍ରେନ୍‌ର ଓ ୨୨୬୪ ବ୍ଲକ୍‌ ସ୍ତରୀୟ ମାଷ୍ଟର୍‌ ଟ୍ରେନର୍‌ଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଜର ତଥା ସମାଜର ଭଲ ପାଇଁ ଲକ୍‌ଡାଉନ୍‌ ପାଳନ କରିବାକୁ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମରେ ହଜାର ହଜାର ପୋଲିସ୍ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ତ୍ୟାଗ ସ୍ବୀକାର କରି ଜନସେବାରେ ବ୍ରତୀ ହୋଇଛନ୍ତି। ଘରେ ରହି ଏବଂ ସାମାଜିକ ଦୂରତା ବଜାୟ ରଖି ଆସନ୍ତୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା। ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏବଂ ଯେକୌଣସି ସାଂପ୍ରଦାୟିକ ପରିସ୍ଥିତ ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ୍ ବିଭାଗକୁ ନିର୍ଦେଶ ଦେଇଛନ୍ତି।
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୪୭ ହଜାର ଅତିଥି ଶ୍ରମଜୀବୀଙ୍କୁ ୧୭୬୫ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି। ଶିବିରଗୁଡ଼ିକରେ ମନସ୍ତାତ୍ୱିକ-ସାମାଜିକ ପରାମର୍ଶ ଦିଆଯିବା ସହିତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। – ଶିବିରରେ ଥିବା ମହିଳା ଓ ଶିଶୁମାନଙ୍କୁ ରନ୍ଧାଖାଦ୍ୟ ବ୍ୟତୀତ ଫଳ ଓ କ୍ଷୀର ମଧ୍ୟ ଯୋଗାଇ ଦିଆଯାଉଛି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି ନମ୍ବର-୧୮୦୦୩୪୫୬୭୦୩ ଜାରି କରାଯାଇଛି।

 ଆଜି ରାଜ୍ୟର ୫୨୪୭ ଗ୍ରାମ ପଞ୍ଚାୟତରେ ୩ ଲକ୍ଷ ୨୭ ହଜାର ୬୭୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୦୮ଟି ପୌରାଞ୍ଚଳରେ ୨୫ ହଜାର ୨୩୯ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। କୋଭିଡ୍-୧୯ ସଂକ୍ରମଣ ସମ୍ପର୍କିତ ସଚେତନତା ସୃଷ୍ଟିରେ ମିଶନ ଶକ୍ତି ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସଚେତନତାର ବାର୍ତ୍ତାକୁ ମାତ୍ର ତିନିଦିନ ମଧ୍ୟରେ ପହଞ୍ଚାଇ ପାରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଜିଲ୍ଲା ପ୍ରଶାସନର ସହାୟତାରେ ୬୦୦ଟି ରାସନ୍‌ ଦୋକାନ ଏବଂ ଭ୍ରାମ୍ୟମାଣ ରାସନ୍‌ ଦୋକାନ ମାଧ୍ୟମରେ ଲୋକଙ୍କୁ ଅତ୍ୟାବଶ୍ୟକ ରାସନ୍‌ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଗ୍ରାମାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟମାନଙ୍କୁ ଏଯାବତ୍ ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ୨୫ ଲକ୍ଷ ମିଲ୍ ଯୋଗାଇ ସାରିଲେଣି। ସେହିଭଳି ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ମାସ୍କ ପ୍ରସ୍ତୁତ କରି ଅତି ସ୍ବଳ୍ପ ମୂଲ୍ୟରେ ଏହି ଏସ୍ଏଚ୍‌ଜି ସଦସ୍ୟମନେ ସରକାରୀ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ, ସ୍ବେଚ୍ଛାସେବୀମାନଙ୍କୁ ଯୋଗାଇ ଦେଇଛନ୍ତି। ଏହି ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମା’ମାନେ ପୋଲିସ୍ ଭଳି ନିଜ ପରିବାର ସଦସ୍ୟଙ୍କୁ ଓ ଗୋଷ୍ଠୀଙ୍କୁ କୋଭିଡ୍-୧୯ର ନିୟମ ପାଳନ କରି ଘରେ ରହିବାକୁ ପ୍ରବର୍ତ୍ତାଇବା ନିମନ୍ତେ ଅନୁରୋଧ କରାଯାଇଛି। 
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ୍‌ ୫ରୁ ଅପ୍ରେଲ୍‌ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୯ଟି ମାମଲା ଦାୟର କରାଯାଇଛି। ୨୩୩ଟି ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୧୧ଟି କୋଭିଡ୍-୧୯ ସମ୍ପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ। ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଭଦ୍ରକ ସହରରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୨୯ ଜଣ ଦୋକାନୀଙ୍କୁ ପୋଲିସ୍ ଗିରଫ କରିଛି। ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍) ଦ୍ବାରା ଓଡ଼ିଶା ସରକାରଙ୍କୁ ପ୍ରଦତ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶା ରାଜ୍ୟ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଅର୍ଥାତ୍ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିନାହିଁ। ଏପର୍ଯ୍ୟନ୍ତ ମିଳିଥିବା କୋଭିଡ୍-୧୯ ଦ୍ବାରା ସଂକ୍ରମିତ ବ୍ୟକ୍ତିବିଶେଷଙ୍କର ବାହାରକୁ ଗସ୍ତ ସମ୍ବନ୍ଧୀୟ ଇତିହାସ ରହିଛି ବା ସେମାନେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଛନ୍ତି। ଭୁବନେଶ୍ୱରର କେତେକ ନିର୍ଦ୍ଦିଷ୍ଟ କ୍ଲଷ୍ଟର୍‌ରେ ସ୍ଥାନୀୟ ସଂକ୍ରମଣ ହୋଇଛି। କରୋନା ସଂକ୍ରମଣ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବା ସ୍ଥାନଗୁଡ଼ିକରେ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି ଏବଂ ସଂପୃକ୍ତ ଅଞ୍ଚଳଗୁଡ଼ିକୁ ବ୍ୟାପକ ବିଶୋଧନ କରିବା ପ୍ରକ୍ରିୟା ଜାରି ରହିଛି। 
ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୮୮୮ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍-୧୯ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୧ ଜଣ, ଭଦ୍ରକରୁ ୩ ଜଣ ଓ କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ଅଛନ୍ତି। ଆଜି ୮୭ ଜଣ କୋରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତି। ବିଶ୍ୱର ୨୦୮ଟି ଦେଶ ଓ ଦୁଇଟି ଜାହାଜକୁ ବ୍ୟାପିଛି କୋରୋନା ଭୂତାଣୁ ବିଶ୍ୱରେ ୧୨ଲକ୍ଷ ୭୬ ହଜାର ୭୩୨ ଜଣ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୯ ହଜାର ୫୪୫ ଜଣ ମୃତ୍ୟୁ ବରଣ କରିଛନ୍ତି। ଭାରତରେ ୪୦୬୭ ଜଣ ଲୋକ କୋରୋନା ଆକ୍ରାନ୍ତ ହୋଇଛନ୍ତି। ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୧ ରହିଛି। ବିଶ୍ୱରେ ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୨୮ରେ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.