banner
Breaking

ଲକଡାଉନ୍ ସମୟରେ ଘରୋଇ ମନ୍ତ୍ର ଦେଲେ ବାଗଚୀ।

ଘରେ ରୁହନ୍ତୁ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ -ଓଡ଼ିଆ ନ୍ୟୁଜ

0

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବୁଧବାର ରାଜ୍ୟରେ କରୋନା ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି, ଖୋର୍ଦ୍ଧା ଜିଲାରେ ୪ଟି ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ ଥିବା ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ଆବଦ୍ଧ ଅଞ୍ଚଳ ଭାବେ ଭୁବନେଶ୍ୱରର ସୂର୍ଯ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଓ ସତ୍ୟନଗରକୁ ଘୋଷଣା ସହ ସିଲ୍‌ କରାଯାଇଛି। ସେହିପରି କଟକ ଜିଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଟି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ନିଶ୍ଚିତକୋଇଲି ତହସିଲ୍‌ ଅନ୍ତର୍ଗତ ଜୟରାମପୁର ଗ୍ରାମ ପଞ୍ଚାୟତର ଏକ ନମ୍ବର ୱାର୍ଡ଼ ଏବଂ ସାଲେପୁର ତହସିଲ୍‌ର ମିର୍ଜାପୁର ଗ୍ରାମପଞ୍ଚାୟତର ଓ୍ବାର୍ଡ ନଂ.୧୨ ଓ ୧୩, କଟକ ବକ୍ସିବଜାର ଛକରୁ ସାଇନ୍ସ କଲେଜ୍‌, ସୂତାହାଟ ମସଜିଦ୍‌ ଛକରୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସଂକ୍ରମଣ ଏଡ଼ାଇବା ପାଇଁ ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ର ଲାଲମେଣ୍ଟା ଗାଁକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଯାଜପୁର ଜିଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବାରୁ ରାଧାନଗର, ବଳଭଦ୍ରପୁର, ଶୀତଳେଶ୍ୱର, ଶିଳାସ୍ତମ୍ବ, ନିଆଳ, ଗଉଡ଼ପାଟଣା, ଭାଟପଡ଼ା, ମେଣ୍ଢପୁର, କଣ୍ଟିପୁର, ଗୋପ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସେହିପରି ପୁରୀରୁ ଜଣେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦାନଗହୀର ଗାଁ ଛକ, ଜୟପୁର ଶାସନ ଛକ, ପିପିଲି ବ୍ଲକ୍‌ର ଜୟପୁର ଛକ ଶାସନ ଛକକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଭଦ୍ରକର ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେଶନ ଅଞ୍ଚଳ, ଏରିନ୍‌ ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି କଳାହାଣ୍ଡି ଜିଲାର ଗୋଲ୍‌ମୁଣ୍ଡା ବ୍ଲକ୍‌ରୁ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବେହେରାଗୁଡ଼ା, ପର୍ଜିୟା ଏବଂ ଖମାର ହଳଦୀକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯିବା ସହ ସିଲ୍‌ କରାଯାଇଛି।
କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା ପାଇଁ ଲୋକେ ସଚେତନ ହେଉଛନ୍ତି। ହେଲେ ଲକଡାଉନ୍‌ ସମୟରେ ଘରେ ରହିବା ସମୟରେ କ’ଣ କରିବେ ଓ କ’ଣ ନ କରିବେ ସେନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚୀ ପରାମର୍ଶ ଦେଇଛନ୍ତି। ବୁଧବାର ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଉଥିବାବେଳେ ବାଗଚୀ କହିଛନ୍ତି, କରୋନା ମୁକାବିଲା ଏକ ଲମ୍ବା ଦୌଡ଼। କରୋନା ଲଢ଼େଇ ଆଜିକାଲି ଭିତରେ ସମାପ୍ତ ହେବନି। ତେଣୁ ମନକୁ ଶାନ୍ତ ରଖି ଧୈର୍ଯ୍ୟ ରଖ। ମନକୁ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ ବୋଲି କହିଛନ୍ତି। ଆହୁରି ମଧ୍ୟ ସେ ପରାମର୍ଶ ଦେଇ କହିଛନ୍ତି, ନିଜକୁ ଓ ନିଜ ପ୍ରିୟଜନଙ୍କୁ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତୁ। ଘର ଭିତରେ ଅଟକ ଅବସ୍ଥାରେ ଶାରୀରିକ ପରିଶ୍ରମ କରନ୍ତୁ। କାରଣ ଶାରୀରିକ ପରିଶ୍ରମ ନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏକାଠି ଖିଆପିଆ କରନ୍ତୁ। ସାଙ୍ଗ ହୋଇ ସମୟ ବିତାନ୍ତୁ। ଅଳ୍ପ ଖାଆନ୍ତୁ ଏବଂ ସାରା ଦେଶବାସୀ କଥା ଚିନ୍ତା କରନ୍ତୁ। ମା’, ଭଉଣୀ, ସ୍ତ୍ରୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ ମଧ୍ୟ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବୟସ୍କ, ଭିନ୍ନକ୍ଷମ ସଦସ୍ୟଙ୍କ ଆଦର ଯତ୍ନ କରନ୍ତୁ। ଶେଷରେ ଶାରିରୀକ ଦୂରତ୍ୱ ରଖିବା, କିନ୍ତୁ ମାନସିକ ମିଳନ ବଜାୟ ରଖିବା ବୋଲି ବାଗ୍‌ଚୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.