ଭୁବନେଶ୍ୱର,: ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ନିକଟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଅଳର ବିଭିନ୍ନ ପଞ୍ଚାୟତ ବାସୀଙ୍କୁ ନେଇ ଏକ ବେଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱରା ପ୍ରକଳ୍ପିତ ସାଗର ମେଳା ଯୋଜନା ଅଧିନରେ ନିର୍ମାଣ ହେବାକୁ ଥିବା ଉପକୂଳ ଜାତୀୟ ରାଜପଥ ପ୍ରସ୍ତାବିତ ଯୋଜନା ଅନୁସାରେ ଯିବା ପାଇଁ ଦାବି କରାଯାଇଛି । ଏହି ଜାତୀୟ ରାଜପଥ ନିର୍ମାଣ ପାଇଁ ପୂର୍ବରୁ ସୀମା ନିର୍ଦ୍ଧାରଣ କରାଯାଇ ଥିଲା । ଯାହା ଡାବର, ବେରିକ, ନାଉଗାଁ ଓ ଶିଖର ପ୍ରଭୁତି ପଞ୍ଚାୟତ ଦେଇ ଯିବାର ଥିଲା । କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ କୁଚକ୍ରାନ୍ତ କରି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମସୁଦା ଚଳାଇ ଛନ୍ତି । ସେଥିରୁ ସେମାନେ ନିବୃତ ରୁହନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଶଣ କରାଯିବା ସହ ବିରାଟ ଆନ୍ଦୋଳନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ନାଉଗାଁ ଅଞ୍ଚଳର ସ୍ୱାର୍ଥ ରକ୍ଷା ପାଇଁ ଅଜି ବିଭିନ୍ନ ପଞ୍ଚାୟତ ବାସୀଙ୍କୁ ନେଇ ଉପକୂଳ ବିକାଶ ପରିଷଦ ନାଉଗାଁ ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ସୁବାସ ଚନ୍ଦ୍ର ବିଶ୍ୱାଳ, ଉପ ସଭାପତି ନିରଞ୍ଜନ ଦାସ ଓ ସମ୍ପାଦକ ଭାବେ ବାବୁଲି ଚରଣ ପରିଡାଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ସମଗ୍ର ନାଉଗାଁ ବାସୀଙ୍କୁ ଏକତ୍ରିତ କରାଯାଇ ଦୃଢ ପ୍ରତିବାଦ କରାଯିବ । ଏହି ପରିଷଦ ମାଧ୍ୟମରେ ନାଉଗାଁ ଅଞ୍ଚଳରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରାଯିବ ବୋଲି ନୂତନ କର୍ମକର୍ତ୍ତା ମାନେ କହିଛନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡାବର ପଞ୍ଚାୟତର ପୂର୍ବତନ ସରପଂଚ ବିଷ୍ଣୁପ୍ରିୟା ମଲ୍ଲିକ, ଦୀଲ୍ଲିପ କୁମାର ପୁହାଣ, ଲକ୍ଷ୍ମୀଧର ବିଶ୍ୱାଳ, ସୁଜିତ ପୁହାଣ, ଉପେନ୍ଦ୍ର ବିଶ୍ୱାଳ, ପ୍ରଣବ ଚରଣ ମହାନ୍ତି, ସନାତନ ଦାସ,ନୃସିଂହ ବିଶ୍ୱାଳ, ଅଶୋକ ନାୟକ, ଟୁକୁନି ପରିଡା, ଶରତ ସ୍ୱାଇଁ, ମାନସ ରଞ୍ଜନ ବିଶ୍ୱାଳ, ମହେଶ କୁମାର ସ୍ୱାଇଁଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୪ ମସିହାରେ ସାଗର ମେଳା ଯୋଜନା କାର୍ଯ୍ୟକାରୀ କରା ଯାଇଥିଲା । ଏହି ଯୋଜନା ମାଧ୍ୟମରେ ଉପକୂଳ ଜାତୀୟ ରାଜପଥ ନିର୍ମାଣ କରାଯାଇ ବନ୍ଦରକୁ ସଂଯୋଗ କରାଯିବ । ଏହା ଦ୍ୱାରା ଉପକୂଳ ଅଂଚଳର ବିକାଶ ଘଟିବ । ଗମନା ଗମନ ସୁବିଧା ହେବା ସହିତ ପଣ୍ୟଦ୍ରବ୍ୟ କାରବାର ବୃଦ୍ଧି ପାଇ ଆର୍ଥିକ ଉନ୍ନତି ହେବ ।




