banner
Breaking

ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢିଲା। ମଣିଷ ଜୀବନ ମୁଲ୍ୟବାନ-ମୁଖ୍ୟମନ୍ତ୍ରୀ

ଘରେ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ।

0

ଭୁବନେଶ୍ୱର,୯।୪(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନେ ମୋର ନମସ୍କାର। ଆପଣମାନେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଏବଂ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ଧନ୍ୟବାଦ। ତେବେ ଏଥିପାଇଁ ଆମ ସମସ୍ତଙ୍କୁ କଷ୍ଟ ସହିବାକୁ ପଡ଼ୁଛି। କିନ୍ତୁ ପରିସ୍ଥିତିର ମୁକାବିଲା ପାଇଁ ଏହାହିଁ ଏକମାତ୍ର ଉପାୟ। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ତା ପରଠାରୁ ଆଜି ଭିତରେ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏସବୁ ଭିତରେ ଓଡ଼ିଶାର ଜନସାଧାରଣଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ ଶକ୍ତି ଦେଇଛି। ଇତିମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍‌ ୩୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଛି। ୯/୧୧ର ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେଲୋକ ପ୍ରାଣବଳୀ ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି। ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ଘୋଷଣା କରିନାହିଁ। ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ସେଠାରେ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ୍‌ ଘୋଷଣା କରାଯାଇନାହିଁ। ଆମକୁ କିନ୍ତୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ଏହି କଠିନ ପରିସ୍ଥିତିରେ ରାଜ୍ୟ କ୍ୟାବିନେଟ ଗୁରୁବାର ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇ ଆବଶ୍ୟକ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ସୁପାରିଶ କରିଛି। ସେହିଭଳି ଏହି ପର୍ଯ୍ୟନ୍ତ ଟ୍ରେନ୍‌, ବିମାନ ସେବା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାରେ ତଥା ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆମାନଙ୍କ ଯତ୍ନ ନେବା ପାଇଁ ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କ ଯତ୍ନ ନେଉଛନ୍ତି। ଏହି ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକଙ୍କୁ ରୋଜଗାର ଏନ୍‌ଆର୍‌ଜିଏସ୍‌ (ମନରେଗା) କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଏଥିରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ରାଜ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଲକ୍‌ଡାଉନ୍‌ ସମୟରେ ଯେପରି ମାଲ୍‌ ପରିବହନରେ ବାଧା ସୃଷ୍ଟି ନହୁଏ ସେଥିପ୍ରତି ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ କୋଭିଡ-୧୯ର ପରୀକ୍ଷା ଏବଂ ଚିକିତ୍ସା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ଏକାସହିତ ୧ଲକ୍ଷ ରାପିଡ୍‌ ଟେଷ୍ଟିଂ ସୁବିଧା କରିବା ଲାଗି ପଦକ୍ଷେପ ନିଆଯାଉଛି। ଯେଉଁ ଡାକ୍ତରମାନେ ଅନୁରୋଧ ରକ୍ଷା କରି ଟେଲି-ମେଡିସିନ ସେବା ଯୋଗାଇ ଦେବା ଲାଗି ଆଗେଇ ଆସିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.