ଓଡିଶାବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ। କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପାଇଁ ଵନ୍ଦେ ଉତ୍କଳ ଜନନୀ ଗାନକର।

ଭୁବନେଶ୍ୱର,୨୮।୫(ଓଡ଼ିଆ ନ୍ୟୂଜ): ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି। କୋଭିଡରେ ରାଜ୍ୟରେ ମୃତ୍ୟୁହାର ସବୁଠାରୁ କମ୍‌। କରୋନାରେ ପୀଡ଼ିତ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ଅଟେ।
ବର୍ତ୍ତମାନ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରୁଛନ୍ତି। ତଥାପି କୋଭିଡ ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସିଏ ଯିଏ ବି ହୁଅନ୍ତୁ ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି, ତାର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସାଥିରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀ ଆସନ୍ତା ମେ’ ୩୦ ତାରିଖ ଅର୍ଥାତ ଶନିବାର ଦିନ ସଂଧ୍ୟା ୫ଟା ସମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ । ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଆମର ଦାୟିତ୍ୱ।

ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ‘ବନ୍ଦେ ଉତ୍କଳ ଜନନୀ’। ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ। ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ। ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏ ବିଶ୍ବାସ ମୋର ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।