ଓଡିଶାରେ କରୋନା ପାଇଁ ପଦକ୍ଷେପ ଗ୍ରହଣ କଲେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର,୧୩।୩(ଓଡ଼ିଆ ନ୍ୟୁଜ) : ମହାମାରୀର ରୂପ ନେଇଛି କରୋନା। ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜନସାଧାରଣ। କରୋନା ସଂକ୍ରମଣ ବିଶ୍ୱବାସୀଙ୍କ ନିଦ ହଜାଇସାରିଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ଣ୍ଣାଟକର କଲ୍‌ବୁର୍ଗୀରେ କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଧାନସଭାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୩୧ ମାର୍ଚ୍ଚ ଯାଏ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ସିନେମା ହଲ୍‌, ସୁଇମିଂପୁଲ, ଜିମ୍‌, ସେମିନାର, ଓ୍ବାର୍କସପ, ସମ୍ମିଳନୀ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବାହାଘର, ଧର୍ମୀୟ କାର୍ଯ୍ୟକ୍ରମ, ସଭାସମିତିକୁ ନିୟନ୍ତ୍ରଣ କରାଯିବ। ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କରୋନାକୁ ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନସାରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି। ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ୨୦୦ କୋଟି ରଖିଛନ୍ତି। ଏଥିଲାଗି ଆବଶ୍ୟକ ଔଷଧ, ସଂରଞ୍ଜାମ ମହଜୁଦ ରଖିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁକାବିଲା ପାଇଁ ମନ୍ତ୍ରୀସ୍ତରୀୟ ଓ ସଚିବସ୍ତରୀୟ କମିଟି ଗଠନ ହେବ। କରୋନା ମିଶନ ମୋଡରେ ମୁକାବିଲା କରାଯିବ। ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ଭୟଭୀତ ହେବା ନାହିଁ। ବାହାରେ ପାନଛେପ ପକାନ୍ତୁ ନାହିଁ। ଘରେ ରହିବା ସହ ଯଥାସମ୍ଭବ ଗହଳିସ୍ଥାନରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ମୁତାବକ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।