banner
Breaking

ଗାଁ କୁ ସ°କ୍ରମଣ ମୁକ୍ତ କରାଯିବ। ୨୪ରୁ ଘରେ ଘରେ ପହଞ୍ଚିବେ ସ୍ବାସ୍ଥ୍ୟ କର୍ମୀ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମାନେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରି ଚାଲିଛନ୍ତି। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅବା ଗୃହ ପୃଥକବାସ କିମ୍ବା କ୍ୱାରାଣ୍ଟାଇନ୍‌ ପରିଚାଳନା, ସବୁଥିରେ ସେମାନେ ଖୁବ୍‌ ଭଲ କାମ କରୁଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଓ ଗୁରୁତର ରୋଗ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ମଧ୍ୟ ସେମାନେ ନିଶ୍ଚିତ ଭାବେ ସଫଳ ହେବେ। ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ୍‌ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡିର କାର୍ଯ୍ୟକର୍ତ୍ତାଙ୍କ ପାଇଁ ଶୁକ୍ରବାର ଭର୍ଚୁଆଲରେ ଦକ୍ଷତା ବୃଦ୍ଧି ଓ୍ବେବିନାର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟର ୭୦ହଜାରରୁ ଊର୍ଦ୍ଧ୍ୱ ଆଇସିଡିଏସ୍‌ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମହାମାରୀ ସମୟରେ ଅଙ୍ଗନଓ୍ବାଡ଼ି କାର୍ଯ୍ୟକର୍ତ୍ତାଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ନିଜେ ସୁରକ୍ଷିତ ରହି ଗାଁକୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଲେ, ବର୍ତ୍ତମାନ ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ବଡ଼ ଆହ୍ବାନ। କରୋନା ମୁକାବିଲା ଦିଗରେ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଭୂମିକା ନେଉଛନ୍ତି। ବିଭାଗୀୟ ଶାସନ ସଚିବ ଅନୁ ଗର୍ଗ କହିଲେ, କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍‌ ସମ୍ପର୍କରେ ଠିକ୍‌ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାଙ୍କ ଗୁରୁଦାୟିତ୍ୱ ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତା କିପରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସତକର୍ତ୍ତା, ପୁଷ୍ଟିସାଧନ ଓ ଶିଶୁ ସୁରକ୍ଷା ଉପରେ ସର୍ଭେ କରିବେ ତାହା ଉପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଓ୍ବେବିନାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅମରେନ୍ଦ୍ରନାଥ ମହାନ୍ତି, ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ, ବିଭାଗୀୟ ଯୁଗ୍ମ ଶାସନ ସଚିବ (ପୁଷ୍ଟିସାଧନ), ୟୁନିସେଫ୍‌ ନ୍ୟୁଟ୍ରିଶନ ବିଶେଷଜ୍ଞ ପ୍ରମୁଖ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.