banner
Breaking

ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ରକୁ ଚଠି ଲେଖିଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୭ା୫(ବ୍ୟୁରୋ):କୋଭିଡ୍‌-୧୯ ଦ୍ୱିତୀୟ ଲହର ସମଗ୍ର ଦେଶ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀ ପାଇଁ କ୍ରୟ କରାଯାଉଥିବା ଟିକା ଉପରୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏ ନେଇ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ନବୀନ ଚିଠି ଲେଖିଛନ୍ତି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ସେସ୍‌ ଓ ସରଚାର୍ଜରୁ ରାଜ୍ୟକୁ ଆର୍ଥିକ ସହାୟତା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍‌-୧୯ ମହାମାରୀ ଲଢ଼େଇ କ୍ଷେତ୍ରରେ ଦେଶ କଠିନ ପରିସ୍ଥିତି ଦେଇ ଗତି କରୁଛି। ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟ ପାଇଁ ସମସ୍ତ ସମ୍ବଳ ବିନିଯୋଗ ହେଉଛି। ଉନ୍ନତ ଚିକିତ୍ସା ଓ ଟିକାକରଣ ପର୍ଯ୍ୟନ୍ତ ମହାମାରୀ ବିରୋଧରେ ହେଉଥିବା ଏହି ଲଢ଼େଇ ଏକ ଚ୍ୟାଲେଞ୍ଜ ହୋଇ ରହିବ। ଏଭଳି ପରିସ୍ଥିତିରେ ୧୮ରୁ ୪୪ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ପାଇଁ ଟିକା କ୍ରୟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଟିକା କ୍ରୟରେ ଜିଏସ୍‌ଟି ଲାଗୁ ଏହାର ମୂଲ୍ୟକୁ ବୃଦ୍ଧି କରିଛି। ତେଣୁ ଟିକା କ୍ରୟ ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରିବାର ଆବଶ୍ୟକ ରହିଛି। ଏହାଦ୍ୱାରା ଟିକା କ୍ରୟର ମୂଲ୍ୟ ହ୍ରାସ ହେବା ସହ ସାର୍ବଜନୀନ ଟିକାକରଣରେ ମଧ୍ୟ ସହାୟକ ହୋଇପାରିବ ବୋଲି ନବୀନ କହିଛନ୍ତି।
କୋଭିଡ୍‌ ବିରୋଧରେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହଯୋଗ କଲେ ସମଗ୍ର ଦେଶ ଏକ ହୋଇ ଏହି ମହାମାରୀ ବିରୋଧରେ ଲଢ଼େଇ କରିପାରିବ। ସମ୍ବଳର ଅଭାବ ଯେପରି ଏହି ଲଢ଼େଇ କ୍ଷେତ୍ରରେ ବାଧା ନ ହେଉ, ଯାହାକି ସମଗ୍ର ଦେଶକୁ ପ୍ରଭାବିତ କରିବ। ବିଭିନ୍ନ ପ୍ରକାର ସେସ୍‌ ଏବଂ ପେଟ୍ରୋଲ, ଡିଜେଲ, ମଦ ଇତ୍ୟାଦିରୁ କେନ୍ଦ୍ର ସରକାର ଆଦାୟ କରୁଥିବା ସରଚାର୍ଜକୁ ଏହି କଠିନ ସମୟରେ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରିବାକୁ ନବୀନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସହାୟତା ମହାମାରୀ ବିରୋଧରେ ହେଉଥିବା ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟାନ୍ୟ ପ୍ରତିଷେଧକ କାର୍ଯ୍ୟକ୍ରମଗୁଡ଼ିକୁ ସଶକ୍ତ କରିପାରିବ। ଏହାକୁ ଅତି ଜରୁରୀ ମନେକରି ଆବଶ୍ୟକ ପଦକ୍ଷେପ ନେବାକୁ ନବୀନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.