banner
Breaking

ମନୋଜ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦ ୧ ଲଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲା ଶଙ୍ଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ। ଦୁଇଭାଇ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ। ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ। ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ।

ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ।

ସୂଚନାଯୋଗ୍ୟ, ସ୍ବର୍ଗତ ମନୋଜ ଦାସଙ୍କର ବିୟୋଗ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ସଦସ୍ୟଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇବା ସହିତ ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତି ରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.