banner
Breaking

ମୋଦୀଙ୍କୁ ନବୀନଙ୍କ ଚିଠି।

0

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି। ହେଲେ ଏହି ଖର୍ଚ୍ଚ ଛାଡ଼ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସିଏପିଏଫ୍‌ ଯବାନ ମୁତୟନ ବାବଦକୁ ମନ୍ତ୍ରଣାଳୟ ୨୦୨୦ ଅକ୍ଟୋବର ୧ ତାରିଖ ଯାଏ ୪୫୬୧.୨୩ କୋଟି ଖର୍ଚ୍ଚ ଦାବି କରିଛି। ଏହି ଖର୍ଚ୍ଚକୁ ପୁନର୍ବିଚାର କରିବାକୁ ୨୦୧୫ରେ ରାଜ୍ୟ ସରକାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ତେବେ କେବଳ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଯଥା ଉତ୍ତର ପୂର୍ବ ରାଜ୍ୟ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଖର୍ଚ୍ଚ ଛାଡ଼ କରିବା ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। ସମ୍ବଳର ଅଭାବ ହେତୁ କେନ୍ଦ୍ରୀୟ ବାହିନୀ ମୁତୟନ ବାବଦ ଖର୍ଚ୍ଚ ବହନ କରିବା ରାଜ୍ୟ ପକ୍ଷେ ସମ୍ଭବ ହେଉନାହିଁ। ସମଗ୍ର ଦେଶ ପାଇଁ ମାଓବାଦୀ କାର୍ଯ୍ୟକଳାପ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ଜାତୀୟ ସଂହତି ପ୍ରତି ବଡ଼ ବିପଦ ହୋଇଛି। ଏହା ଏକ ଜାତୀୟ ସମସ୍ୟା। ଏହାକୁ ମିଳିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁକାବିଲା କରୁଛନ୍ତି। ସୀମିତ ସମ୍ବଳ ସତ୍ତ୍ୱେ ଓଡ଼ିଶା ସରକାର ମାଓବାଦୀ ଦମନ ପାଇଁ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରିଆସୁଛନ୍ତି।
ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟ ସରକାର ୧୫ଟି ବାଟାଲିୟନ ପ୍ରତିଷ୍ଠା କରିଛନ୍ତି। ପୋଲିସ କ୍ୟାଡ୍‌ରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓବାଦୀ ମୁକାବିଲା ପାଇଁ ସୁରକ୍ଷା ବଳକୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ ଅନୁଭବ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦାବି ଅର୍ଥ ଛାଡ଼ ବିଷୟରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.