banner
Breaking

କୋରାପୁଟ ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର : ମୁଖ୍ୟମନ୍ତ୍ରୀ

କୋଟିଆ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ୧୮ କୋଟି

0

ଭୁବନେଶ୍ୱର,୬।୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ୩ ସୀମାବର୍ତ୍ତୀ ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଉକ୍ତ ଗ୍ରାମଗୁଡ଼ିକୁ ନିଜର ଦାବି କରି ଆନ୍ଧ୍ର ସରକାର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ଓଡ଼ିଶା ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କୋଟିଆ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର କେତେକ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ୫ କୋଟି ଟଙ୍କାର ହାଇଲେଭଲ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ମୁଖ୍ୟମନ୍ତ୍ରୀ ୨୦୧୮ରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଉକ୍ତ ଅନୁଦାନ ଅର୍ଥରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, ପିଇବା ପାଣି, ବିଜୁଳି ବ୍ୟବସ୍ଥାର ବିକାଶ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଇଛି। ଜୀବନ ଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। କୋଟିଆକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ାଯିବ। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଅଞ୍ଚଳକୁ ଗସ୍ତ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟର ବିକାଶ ଉପରେ ଫୋକସ୍‌ କରି ମୁଖ୍ୟମନ୍ତ୍ରୀ କହିଲେ, ମାଲକାନଗିରିରୁ ମୟୂରଭଞ୍ଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ। ଓଡ଼ିଶା ଆମର ମା’। ଓଡ଼ିଆ ଆମର ଭାଷା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ବଡ଼ଠାକୁର। ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ। ସ୍ବାଧୀନତା ସଂଗ୍ରାମରେ କୋରାପୁଟର ବଡ଼ ଭୂମିକା ରହିଛି। ଏହି ଅବସରରେ ସେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଞ୍ଚାୟତର ଉନ୍ନତି ଘଟିଛି। ଅଞ୍ଚଳବାସୀ ମୌଳିକ ସୁବିଧା ପାଇପାରୁଛନ୍ତି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ୍‌ ପାଢ଼ୀ ମଧ୍ୟ କୋଟିଆର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟ ଜିଲାର ବିକାଶମୂଳକ କାର୍ଯ୍ୟକ୍ରମର ସୁଫଳ ଲୋକମାନେ କିପରି ପାଉଛନ୍ତି ସେ ବିଷୟରେ ମତାମତ ରଖିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୋରାପୁଟ ଜିଲାପାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ଅର୍ଥ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.