banner
Breaking

ଝଲସିବ ଭୁବନେଶ୍ୱର-ପୁରୀ ରାସ୍ତା। ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୩ା୨(ଓଡ଼ିଆ ନ୍ୟୁଜ): ଆଜି ଝଲସିବ ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା। ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ୧୨ କି.ମି. ରାସ୍ତା ଆଲୋକିତ ହେବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅପରାହ୍ନ ୫ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀ ଶିରିଡି ସାଇମନ୍ଦିର ଛକ ନିକଟରେ ସୁଇଚ୍‌ ଟିପି ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ।
ଉକ୍ତ ୧୨ କିଲୋମିଟର ମଧ୍ୟରେ ୩୮୭ଟି ଖୁଣ୍ଟରେ ୭୭୪ଟି ଏଲ୍‌ଇଡି ଲାଇଟ ଲାଗିଥିବା ବେଳେ ୪ଟି ଟ୍ରାନ୍ସଫର୍ମର ନିର୍ମାଣ କରାଯାଇଛି। ଏଥିସହିତ ରାଜପଥର ୩ଟି ଛକରେ ହାଇମାଷ୍ଟ ଲାଇଟ ଲାଗିଛି। ସ୍ଥାନୀୟ ଲୋକମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୩୧୬ ନମ୍ବର ୨୦୧୨ରେ ଲୋକାର୍ପଣ ହୋଇଥିଲା। ତେବେ ରାସ୍ତା ଆଲୋକୀକରଣ କରାଯାଇ ନ ଥିଲା। ଫଳରେ ଉକ୍ତ ରାସ୍ତାରେ ଚୋରି, ଡକାୟତି, ରାହାଜାନି ବଢି ଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଏମ୍‌ସି ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ରାସ୍ତା ବିଏମ୍‌ସି ଅଧୀନରେ ଆସୁ ନ ଥିବା କହି ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଏହି ଦାବିକୁ ଅଣଦେଖା କରିଥିଲେ। ଏଥିପାଇଁ ଅର୍ଥ ବାଧକ ସାଜୁଥିଲେ ମଧ୍ୟ ସ୍ଥାନୀୟ ଲୋକମାନଙ୍କର ଦାବି ଓ ପର୍ଯ୍ୟଟନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ବିଭାଗରୁ ଉକ୍ତ ରାସ୍ତାର ଆଲୋକୀକରଣ ପାଇଁ ବିଏମ୍‌ସିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି କମିଶନର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.