banner
Breaking

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ। ସମୀକ୍ଷା ବୈଠକରେ ବଡ ଘୋଷଣା।

0

ଭୁବନେଶ୍ୱର,୩୧।୮(ଓଡ଼ିଆ ନ୍ୟୁଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ବନ୍ୟା ପରିସ୍ଥିତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବନ୍ୟା ଯୋଗୁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ରହିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ସେହିପରି ଜଳମଗ୍ନ ଗ୍ରାମର ପରିବାରବର୍ଗଙ୍କୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ। ଘର ଭାଙ୍ଗିଥିବା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍‌ ମିଳିବ। ଏସଡିଆରଏଫ ନିୟମ ଅନୁଯାୟୀ ଘରଭଙ୍ଗା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୫ଦିନ ମଧ୍ୟରେ ଜିଲାପାଳମାନେ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ। ଏହାର ସପ୍ତାହ ମଧ୍ୟରେ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ। ଏସଡିଆରଏଫ ନିୟମାନୁଯାୟୀ କ୍ଷତିଗ୍ରସ୍ତଙ୍କୁ ଲୁଗାପଟା ଓ ବାସନକୁସନ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ  ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଏହି ବିପତ୍ତି ସମୟରେ ଓଡ୍ରାଫ, NDRF, ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଛନ୍ତି।  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ।  ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.