ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଇତିହାସରେ ଏକ ନୂଆ ଆଧ୍ୟାୟ ଜୋଡିଛି। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମସ୍ତ ନିତୀକାନ୍ତି ସମ୍ପର୍ଣ୍ଣ ହୋଇଛି।ସବୁବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଉପସ୍ଥିତ ରହି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ ଏ ବର୍ଷ ଓଡିଶାବାସୀଙ୍କ ମନର ଆବେଗ ବୁଝି ସମସ୍ତଙ୍କ ପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ରହି ମହାପ୍ରଭୁଙ୍କୁ ପ୍ରଣାମ କରିଛନ୍ତି। ଏହାର ଏକ ଭିଡିଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି। ଭିଡିଓରେ ମୁଖ୍ୟମନ୍ତ୍ରୀ ଟେଲିଭିଜନ୍ ପରଦାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବା ଦେଖି ନମସ୍କାର କରୁଥିବା ଦେଖାଯାଇଛି। ତାଙ୍କ ଆଦେଶ ବିନା ପତ୍ରଟିଏ ବି ହଲିପାରିବ ନାହିଁ ବୋଲି କୁହାଯାଇଛି।
ସେହିଭଳି ଅନ୍ୟ ଏକ ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ଼ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କର କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




