banner
Breaking

ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୁରଣ ହେବ,ହିସାବ ଦେବେ ନବୀନ

0

ଭୁବନେଶ୍ୱର : ଶାସନ ବ୍ୟବସ୍ଥାରେ ଜନ ଭାଗୀଦାରିକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ। ସରକାର ରାଜ୍ୟବାସୀଙ୍କୁ ନିଜ କାମର ହିସାବ ଦେବେ। ବିଜେଡିକୁ ରାଜ୍ୟବାସୀ ଲଗାତର ବିଜୟୀ କରି ଚାଲିଥିବାରୁ ସରକାରଙ୍କୁ ଏହା ଅଧିକ ଉତ୍ତରଦାୟୀ କରିଛି। ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ଆସନ୍ତା ମେ’ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ବିଜେଡି ସରକାର ଆସନ୍ତା ମେ’ ୨୯ ତାରିଖରେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ବେଳେ ଲୋକମାନଙ୍କୁ ଆମେ କିଛି ପ୍ରତିଶ୍ରୁତି ଦେଇଥିଲୁ। ପ୍ରତ୍ୟେକ ବିଭାଗ କାର୍ଯ୍ୟକାରୀ କରିଥିବା ୫ଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମନ୍ତ୍ରୀମାନେ ନିଜ ବିଭାଗରେ ୫-ଟି ଓ ମୋ ସରକାର କାର୍ଯ୍ୟକାରିତା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ।
ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀମାନେ ନିଜ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହାପୂର୍ବରୁ ମନ୍ତ୍ରୀମାନେ ନିଜସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ନିଜ ବିଭାଗ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ମେ’ ୨୨ ତାରିଖରେ କୃଷି ଏବଂ କୃଷକ ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହେବ। ସେହିପରି ୨୩ ତାରିଖରେ ପୂର୍ତ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସମୀକ୍ଷା ବୈଠକ ହେବ। ୨୫ ତାରିଖରେ ଜଳସମ୍ପଦ, ଉଚ୍ଚ ଶିକ୍ଷା, ଯୋଜନା ଏବଂ ସଂଯୋଜନ ବିଭାଗ, ୨୬ରେ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରିପୋର୍ଟ କାର୍ଡ ଦେବେ। ସେହିପରି ୨୭ ତାରିଖରେ ମିଶନ ଶକ୍ତି, ଦକ୍ଷତା ବିକାଶ, ଶ୍ରମ ଏବଂ ନିୟୋଜନ ବିଭାଗର ବୈଠକ ଧାର୍ଯ୍ୟ ହୋଇଥିବା ବେଳେ ୨୯ ତାରିଖରେ ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା ବିଭାଗର ବୈଠକ ଅନୁଷ୍ଠିତ ହେବ। ସେହିଭଳି ୩୦ ତାରିଖରେ ଏସ୍ସି,ଏସ୍ଟି ଉନ୍ନୟନ, ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ, ୩୧ ତାରିଖରେ କ୍ରୀଡ଼ା ଏବଂ ଯୁବସେବା, ମହିଳା ଓ ଶିଶୁ ବିକାଶ, ଶକ୍ତି ବିଭାଗର ବୈଠକ ଅନୁଷ୍ଠିତ ହେବ। ସେହିପରି ଜୁନ୍ ପହିଲାରେ ପର୍ଯ୍ୟଟନ ଏବଂ ସାମାଜିକ ସଶକ୍ତୀକରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.