banner
Breaking

୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ

0

ଭୁବନେଶ୍ବର : ୫ଗୋଟି ଜିଲାର ୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲାର ୬୧ଟି, ପୁରୀ ଜିଲାର ୫୩, କେନ୍ଦ୍ରାପଡ଼ା ଜିଲାର ୫୬ ଏବଂ କୋରାପୁଟ ଜିଲାର ୫୮ଟି ଉଚ୍ଚ ବିଦ୍ୟାଳୟ ଅନ୍ତର୍ଭୁକ୍ତ ଅଛି। ଏହାଦ୍ବାରା ୨ ଦିନରେ ସମୁଦାୟ ୬୮୫ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ କରାଯାଇଛି। ସୂଚନାଯୋଗ୍ୟ, ଗତ ୨ଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ ବିଦ୍ୟାଳୟ ରୂପାନ୍ତରିତ ହୋଇଛି। ୩ଟି ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ବିଦ୍ୟାଳୟ ରୂପାନ୍ତରିତ ହେବ। ଏହି ଅବସରରେ ଆଭାସି ଜରିଆରେ ଯୋଡ଼ିହୋଇଥିବା ବିଦ୍ୟାଳୟଗୁଡ଼ିକରେ ଉପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସମ୍ପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ୱ ଦେବକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ସମୟର ଗୁରୁତ୍ୱ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବେ କରିପାରିଲେ ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ଛାତ୍ରୀଛାତ୍ରଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ବିଦ୍ୟାଳୟଗୁଡ଼ିକରେ ପିଲାଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି, ଆସନ୍ତା ୬ ମାସରେ ରାଜ୍ୟର ସବୁ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦ୍ଦେଶ ଦେଉଛନ୍ତି, ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବାବେଳେ ଓସେପା ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାସହ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

Khansweb Solution Bhubaneswar

Leave A Reply

Your email address will not be published.