banner
Breaking

ବରିଷ୍ଠ ସାମ୍ବାଦିକ ଅଜୟ ମହାନ୍ତିଙ୍କ ପରଲୋକ

0

ଭୁବନେଶ୍ୱର : ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ହେତୁ ସେ କିଛିଦିନ ହେଲା କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ବିୟୋଗ ଘଟିଛି। ସେ ଜଣେ ସରକାରୀ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଥିବାସତ୍ତ୍ୱେ ତାଙ୍କର କଳା ପ୍ରତି ଅହେତୁକ ଆଗ୍ରହ ଥିଲା। ଚଳଚ୍ଚିତ୍ର, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗରେ ଉଭୟ ଚଳଚ୍ଚିତ୍ର ଏବଂ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ମହାନ୍ତି ‘ହୀରାଖଣ୍ଡ’ରୁ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ମୃତ୍ୟୁବେଳକୁ ସେ ‘ଅମୃତ ସନ୍ଦେଶ’ ନାମକ ହିନ୍ଦୀ ପତ୍ରିକାର ରାଜ୍ୟ ପ୍ରତିନିଧି ଥିଲେ। ଏଥିସହ ସେ ‘ସତ୍ୟଧାରା’ ନାମକ ଓଡ଼ିଆ ସାପ୍ତାହିକର ସମ୍ପାଦନା କରୁଥିଲେ। ସ୍ବର୍ଗତ ମହାନ୍ତି ‘ଶୂନ୍ୟ ସ୍ବରୂପ’, ‘ଆଶା’, ଓ ’ଭୁଲ ବୁଝିବନି ମୋତେ’ ଭଳି ୩ଟି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ସେହିଭଳି ‘ମରିଚିକା’, ‘ବାଲିଘର’ ପ୍ରଭୃତି ଓଡ଼ିଆ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ (ବିବାହିତା) ଅଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ୟୁନିଟ-୬ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା। ଏହାପରେ ପାର୍ଥତ୍ବ ଶରୀରକୁ ତାଙ୍କ ନିଜ ଗ୍ରାମ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ପଦନପୁର ଓ ସେଠାରୁ ପୁରୀ ନିଆଯାଇ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.