banner
Breaking

ଅନୁଗୋଳରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି। ଏହାସହିତ ଅନୁଗୋଳରେ ୩୫୦ କୋଟି ଟଙ୍କାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଦୁଇଟିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ଜିଲାର ୪୮ଟି ପଞ୍ଚାୟତର ଲୋକ ପାନୀୟ ଜଳ ପାଇପାରିବେ।

ଅନୁଗୋଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ସଂଗ୍ରାମୀ ନେତାମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିଥିଲେ।
ବିକାଶ ଅନୁଗୋଳର ସବୁଠାରୁ ବଡ଼ ପରିଚୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଅନୁଗୋଳରେ ଶିଳ୍ପ ପ୍ରତିଷ୍ଠା ସହିତ ନିଯୁକ୍ତିର ସୁଯୋଗ ବଢୁଛି। ଚଳିତ ମେକ୍‌-ଇନ୍‌-ଓଡ଼ିଶାରେ ରାଜ୍ୟ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନୁଗୋଳର ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଜିଲାର ୭୩୭୨ ମିଶନ ଶକ୍ତି ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ବାରା ଉପକୃତ ହେବେ। ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଦିନ ମିଶନ ଶକ୍ତିର ମା’ମାନେ ତାଙ୍କୁ ଭେଟୁଛନ୍ତି ଓ ତାଙ୍କ ସଫଳତାର କାହାଣୀ କହୁଛନ୍ତି। ଏହା ତାଙ୍କୁ ଖୁବ୍‌ ଆନନ୍ଦ ଦେଉଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ୫ ବର୍ଷରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ସହାୟତା ଦିଆଯିବ।

ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି, ଜିଲାର ବିଧାୟକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୋଳ ଷ୍ଟାଡିଅମରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାପରେ ରେଲଓ୍ବେ ଷ୍ଟେଶନ ଯାଇ ସେଠାରେ ସମ୍ବଲପୁର-ଶାଲିମାର-ସମ୍ବଲପୁର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.