banner
Breaking

୧୪ ସାଇବର ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସରେ ୧୪ ନୂଆ ଥାନାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନ, ସ୍ବାଧୀନତା ଓ ସମ୍ପତ୍ତିର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ସରକାର ଲୋକଙ୍କୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ଦିନକୁ ଦିନ ସାଇବର ଅପରାଧ ବଢ଼ୁଛି। ଏଥିସହ ସମାଜରେ ଏହା ଏବେ ପ୍ରମୁଖ ଅପରାଧ ପାଲଟିଛି। ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବାବେଳେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ। ସାଇବର ଅପରାଧୀ ବିଦେଶରେ ବସି ଲୁଟ୍‌ କରିବା ସହ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି। ସେହିଭଳି ଆର୍ଥିକ ଅପରାଧ ଏବେ ବ୍ଲ୍ୟୁ କଲାର କ୍ରାଇମ୍‌ ପାଲଟିଛି, ଯାହା କେବଳ ବ୍ୟକ୍ତିଗତ ନାଗରିକଙ୍କୁ ପ୍ରଭାବିତ କରେ ନାହିଁ ବରଂ ଆମ ଦେଶର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଏ। ଏହି ପୋଲିସ ଷ୍ଟେଶନରେ ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ବୈଷୟିକ ବିଶେଷଜ୍ଞ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱୈତ ନଗରୀରେ ୩ଟି ଅପ୍‌ଗ୍ରେଡେଶନ ଥାନା ବା ଫାଣ୍ଡିରୁ ଉନ୍ନୀତ ହୋଇଥିବା ବୟାଳିଶ ମୌଜା, ଇନ୍‌ଫୋଭ୍ୟାଲି ଓ ପାହାଳ ଥାନାକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଲେ, ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ। ପୋଲିସ ଡିଜି ଅଭୟ ସ୍ବାଗତ ଭାଷଣ ଓ ଆଇଜି (ଅପରେଶନ) ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି. କେ. ପାଣ୍ଡିଆନ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୪ଟି ସ୍ଥାନରେ ସାଇବର ଥାନା ରହିଥିଲା। ତେବେ ନୂଆକରି ଖୋଲିଥିବା ସାଇବର ଓ ଅର୍ଥନୈତିକ ଅପରାଧ ଥାନାଗୁଡ଼ିକ ହେଲା ଭୁବନେଶ୍ୱର ୟୁପିଡି, କଟକ ୟୁପିଡି, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, ବାଲେଶ୍ୱର, ପୁରୀ, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର, ମୟୂରଭଞ୍ଜ ଓ ଭବାନୀପାଟଣା।

Khansweb Solution Bhubaneswar

Leave A Reply

Your email address will not be published.