banner
Breaking

୫୫ ଟି ବସ ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୩/୧୨(ବ୍ୟୁରୋ): ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ। ରାଜ୍ୟର ପ୍ରତି ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୨୨ଟି ଜିଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସବୁ ଅତ୍ୟାଧୁନିକ ବସଷ୍ଟାଣ୍ଡରେ ଭିନ୍ନକ୍ଷମଙ୍କ ପାଇଁ ବି ସ୍ବତନ୍ତ୍ର ସୁବିଧା ରହିବ। ସବୁଜ ନିର୍ମାଣ କୌଶଳରେ ଯୁଗୋପଯୋଗୀ ପ୍ଲାନିଂ ଆଣ୍ଡ୍‌ ଡିଜାଇନ ଦ୍ୱାରା ଆରାମଦାୟକ ପ୍ରତୀକ୍ଷାଳୟ, ବର୍ଷାଜଳ ଅମଳ ବ୍ୟବସ୍ଥା ରହିବ। ସମଗ୍ର ରାଜ୍ୟରେ ଲୋକଙ୍କୁ ସଂଯୋଗ କରିବାରେ ଏକ ମାଧ୍ୟମ ସାଜିବ। ରାଜ୍ୟରେ ଗାଁ ଗାଁକୁ ଯୋଡ଼ିବା ଓ ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଯାତାୟାତ ସେବା ଯୋଗଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି। ନୂଆ ବସ୍‌ ଷ୍ଟାଣ୍ଡ ଗୁଡ଼ିକର ଭିତ୍ତିପ୍ରସ୍ତର କାର୍ୟ୍ୟକ୍ରମକୁ ୫-ଟି ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଥିବାବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ।
ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତିକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଗାଁ ଗାଁର ଲୋକେ ସହରକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ବ୍ଲକ୍‌ ସ୍ତରୀୟ ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ରାଜ୍ୟର ୨୨ଟି ଜିଲାରେ ନିର୍ମାଣ ହେବ। କେନ୍ଦୁଝର ଜିଲାରେ ସର୍ବାଧିକ ୯ଟି ବ୍ଲକ ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। କଟକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜରେ ସର୍ବନିମ୍ନ ଗୋଟିଏ ଲେଖାଏଁ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଅନୁଗୁଳ ଜିଲାର ଭୀମକନ୍ଦା, ପାଳଲହଡ଼ା, ବାଲେଶ୍ୱର ଜିଲ୍ଲାର ରିଆ, ମଥାନି, କାଚୁଆପଡ଼ା, ଦେହୁଡା, ଭଦ୍ରକ ଜିଲ୍ଲାର ଦକ୍ଷିଣ ଧାମରା, ବାସୁଦେବପୁର, ବଲାଙ୍ଗୀର ଜିଲାର ଲୋଇସିଂହା, ବଙ୍ଗୋମୁଣ୍ଡା, ବୌଦ୍ଧ ଜିଲାର ପୁରୁଣାକଟକ, କଣ୍ଟାମାଳ, କଟକ ଜିଲାର କୁନେଇପଡ଼ା, ଢେଙ୍କାନାଳ ଜିଲାର ନିଜିଗ୍ରହ, ଢେଙ୍କାନାଳ ସହର, ଗଜପତି ଜିଲାର ଆର୍‌.ଉଦୟଗିରି, ନୂଆଗଡ଼, ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କଳାହାଣ୍ଡିର ଧରମଗଡ଼, ଜୁନାଗଡ଼, କନ୍ଧମାଳର ତିପାରିଗାଁ, କେନ୍ଦ୍ରାପଡ଼ାର ନଦୀଆବରେଇ, ମାର୍ଶାଘାଇ, ନିଆଳ, ବାଘବୁଡ଼ା ଓ ସାନବେଡ଼ା (ଗୋପାଳପୁର)ରେ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ସେହିପରି କେନ୍ଦୁଝର ଜିଲାର ଖପରାଖାଇ, ଆନନ୍ଦପୁର, ଉପରଡିହ, ହିରଚନ୍ଦନପୁର, ସାହରପୁର, ଗୋରଣ୍ଡିଯୋଡ଼ି, ସଢୁଆପଡ଼ା, କାଲିକୁଦର, ଝୁମ୍ପୁରା, କୋରାପୁଟ ଜିଲାର କାକି, କୋଟପାଡ଼, ମୟୂରଭଞ୍ଜର ବେତନଟୀ, ନବରଙ୍ଗପୁର ଜିଲାର ଦାଙ୍ଗିରିଗୋଡ଼, କୋଡ଼ିଙ୍ଗା, ନୟାଗଡ଼ର ରଣପୁରଘା, ଖଣ୍ଡପଡ଼ା, ପାତଣ୍ଡା, ନୂଆପଡ଼ା ଜିଲାର ରାଜପୁରା, ପୁରୀର ବଲରା, ଗୋପ, ରାୟଗଡ଼ାର କୋଲନରା, ଟିକରପଡ଼ା, ସମ୍ବଲପୁର ଜିଲାର ଯୁଯୁମୁରା, ସୁବର୍ଣ୍ଣପୁର ଜିଲାର ସୋନପୁର ସହର, ଝାରକୁମୁଡ଼ା (ବୀରମହାରାଜପୁର), ବିନିକା ଓ ଉଲୁଣ୍ଡାରେ ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.