banner
Breaking

କରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’କୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇବା ସହିତ କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ କହିଛନ୍ତି। ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତ୍ୱର ସହ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ସେ କହିଛନ୍ତି, ପ୍ରଥମରୁ ହିଁ ଓଡିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସିଛି। ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରକୁ ମୁକାବିଲା କରିପାରିଛି। ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଆମେ ସଫଳ ମୁକାବିଲା କରିପାରିବା। କୋଭିଡ୍‌ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣିଥରେ ପୁନଃ ସକ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ କୋଭିଡ୍‌ ନିୟମର ଯେପରି କଡ଼ାକଡ଼ି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବା ପାଇଁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ୍‌ ନିୟମ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ଼ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୂରା ସତର୍କ ଅଛନ୍ତି। କୋଭିଡ୍‌ ଭିତ୍ତିଭୂମି ସୁଦୃଢ଼ ରହିଛି ଏବଂ ତାକୁ ଆହୁରି ଅଧିକ ଜୋର୍‌ଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଛନ୍ତି, ରାଜ୍ୟରେ ଏବେ ୪ ଜିଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳରେ ଅପେକ୍ଷାକୃତ ଅଧିକ କେସ୍‌ ବାହାରିଥିଲେ ମଧ୍ୟ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ନୂଆ ରୋଗୀଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ମଧ୍ୟ ନମୁନା ପଠାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି, କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରାଯିବା ଆବଶ୍ୟକ। ଅକ୍ସିଜେନ ସପ୍ଲାଏ ଚେନ୍‌କୁ ଆହୁରି ମଜଭୁତ କରିବା ଏବଂ ଘରୋଇ ହସ୍ପିଟଲଗୁଡ଼ିକୁ କୋଭିଡ୍‌ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲାର ଜିଲାପାଳ, ମହାନଗର ନିଗମ କମିଶନର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.