banner
Breaking

ସରପଞ୍ଚଙ୍କୁ କରୋନା ମନ୍ତ୍ର ଦେଲେ ନବୀନ।

0

ଭୁବନେଶ୍ୱର, ୨୨।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହ ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସରପଞ୍ଚମାନେ ଶପଥ ନେଇଛନ୍ତି।

ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ଏଣୁ ପ୍ରତ୍ୟେକ ସରପଞ୍ଚ ନିଜ ପଞ୍ଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସମ୍ଭାବନାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବାକୁ ପଡ଼ିବ। ରାଜ୍ୟ ସରକାର ଏଥିପାଇଁ ୨୪ତାରିଖରେ ଏକ ପୋର୍ଟାଲ ଖୋଲିବେ। ସେଥିରେ ଆସୁଥିବା ସମସ୍ତ ଲୋକଙ୍କ ଆତ୍ମୀୟ ଓ ପରିବାର ପଞ୍ଜୀକରଣ କରିବେ ତାହା ସୁନିଶ୍ଚିତ କରିବା ସରପଞ୍ଚଙ୍କ ଦାୟିତ୍ୱ। ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡ଼ାଲ ଅଫିସର ରହିବା ସହ ବିଡିଓମାନେ ପଞ୍ଚାୟତରେ ତଦାରଖ ପାଇଁ ଏକ ୫ଜଣିଆ ଟିମ୍‌ ଗଠନ କରିବାକୁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କ୍ଷମତା ଦେବା ପରେ ସେମାନେ ଗ୍ରାମାଞ୍ଚଳରେ ଜଣେ ଜଣେ କୋଭିଡ ଯୋଦ୍ଧା ଭାବେ କାମ କରିବେ ବୋଲି କୁହାଯାଇଛି।

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସେହିଭଳି ସରପଞ୍ଚମାନେ ବ୍ଲକ ସ୍ତରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସେମାନେ ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼କଡ଼ି ଭାବେ ଅନୁପାଳନ କରିବେ ତେବେ ଗ୍ରାମରେ କରୋନା ପଶିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଛଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ଲୋକମାନଙ୍କୁ ମାଗଣା ଖାଇବାକୁ ଦିଆଯିବା ସହ ସମୟସୀମା ସରିବା ପରେ ପ୍ରୋତ୍ସାହନ ରାଶି ଆକାରରେ ୨ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.