banner
Breaking

ଆଜି ଆସିବେ ଚାଇନା ରାଷ୍ଟ୍ରପତି। ମୋଦିଙ୍କ ସହିତ ହେବ ଆଲୋଚନା। ପାକିସ୍ତାନ ଛାନିଆ

0

ମାମଲାପୁରମ୍‌,୧୧-୧୦:(ବ୍ୟୁରୋ):ଚାଇନା ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗ୍‌ ଶୁକ୍ରବାରଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏଥିପାଇଁ ତାମିଲନାଡୁର ପୁରାତନ ଐତିହ୍ୟ ଉପକୂଳ ସହର ମାମଲାପୁରମ୍‌ରେ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜିନ୍‌ପିଙ୍ଗଙ୍କର ହେବାକୁ ଥିବା ଏହି ଦ୍ୱିତୀୟ ଅନୌପଚାରିକ ସମିଟ୍‌ ଉପରେ ସମସ୍ତଙ୍କର ନଜର ରହିଛି। ମାମଲାପୁରମ୍‌ ସହ ଚାଇନାର ପୁରାତନ ସାଂସ୍କୃତିକ ଓ ବାଣିଜି୍ୟକ ସମ୍ପର୍କ ରହିଥିବାବେଳେ ଭାରତର ବିବିଧତାର ପ୍ରଦର୍ଶନ ଲାଗି ସମିଟ୍‌ ଆୟୋଜନ ନିମନ୍ତେ ଏହି ସ୍ଥାନକୁ ଚୟନ କରାଯାଇଛି। ସେଥିପାଇଁ ମାମଲାପୁରମ୍‌ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୧୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମୋଦି ଏକ ସ୍ବତନ୍ତ୍ର ବିମାନରେ ଶୁକ୍ରବାର ଚେନ୍ନାଇ ଯାଇ ସେଠାରୁ ହେଲିକପ୍ଟର ଯୋଗେ ମାମଲାପୁରମ୍‌ ଯିବେ। ଶୁକ୍ରବାର ଅପରାହ୍ନ ୪ଟାରେ ଜିନ୍‌ପିଙ୍ଗ ଚେନ୍ନାଇରେ ପହଞ୍ଚତ୍ ଏକ ହୋଟେଲରେ ରହିବେ ଓ ସେଠାରୁ ସଡ଼କ ପଥରେ ସମିଟ୍‌ ସ୍ଥଳକୁ ଯିବେ। ଜିନ୍‌ପିଙ୍ଗଙ୍କ ସ୍ବାଗତ ଲାଗି ତାମିଲନାଡୁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ ଓ ଅନ୍ୟ ନେତାମାନେ ବିମାନବନ୍ଦରରେ ଜିନ୍‌ପିଙ୍ଗଙ୍କୁ ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ଜିନ୍‌ପିଙ୍ଗ ସେଠାରେ ଥିବା ଦର୍ଶନୀୟ ସ୍ଥାନ ଅର୍ଜୁନଙ୍କ ତପସ୍ୟା, ପଞ୍ଚରଥ ଏବଂ ମହାବଳିପୁରମ୍‌ର ଶୋର୍‌ ଟେମ୍ପୁଲ୍‌ ( ଉପକୂଳ ମନ୍ଦିର)ପରିଦର୍ଶନ କରିବା ସହ କଳାକ୍ଷେତ୍ର ଫାଉଣ୍ଡେଶନ୍‌ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ନୈଶଭୋଜିରେ ଚାଇନା ରାଷ୍ଟ୍ରପତି ଯୋଗଦେବେ। ଶନିବାର ଦୁଇନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ସାଙ୍ଗକୁ ସୀମିତ ପ୍ରତିନିଧି ସ୍ତରୀୟ ବୈଠକ ଅନୁଷ୍ଠିତ ହେବ।

Khansweb Solution Bhubaneswar

Leave A Reply

Your email address will not be published.