banner
Breaking

ଆଜି ଛାଡଖାଇ

0

ଭୁବନେଶ୍ୱର : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ଧର୍ମ ମାସକୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ। ବୁଧବାର ଛାଡ଼ଖାଇ। ଏଥିପାଇଁ ଆମିଷ ପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ। ବୁଧବାର ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇଥିଲେ। ଏଥର ଆମିଷ ବଜାରରେ ୧୨ କୋଟି ଟଙ୍କାର ବେପାର ହେବ ବୋଲି ବ୍ୟବସାୟୀ ସଂଘ ଆଶା ରଖିଛି।
ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି। ଓଡ଼ିଶାର ବାଲୁଗାଁ, କରଞ୍ଜିଆ ଆଦି କେତେକ ସ୍ଥାନରୁ ଖାସି ଆସିଥାଏ। ତେବେ ଡିମାଣ୍ଡକୁ ଦେଖି ରାଜ୍ୟ ବାହାରୁ ମଧ୍ୟ ଖାସି ମଗାଯାଇଛି। ଛାଡ଼ଖାଇ ପାଇଁ ମଟନ୍‌ ଦର କିଲୋ ପିଛା ୭୫୦ରୁ ୮ଶହ ଟଙ୍କା ରହିବ। ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯିବ। ଚିକେନ୍‌ କିଲୋ ପ୍ରତି ଦର ୨୨୦ଟଙ୍କା, ଦେଶୀ କୁକୁଡ଼ା ୪ଶହ ଟଙ୍କା ରହିବ। ସେହିପରି ରୋହି ଓ ଭାକୁର ମାଛର ଦର ୨୦୦ରୁ ୨୬୦ଟଙ୍କା, ଜଳଙ୍ଗ ୧୭୦ରୁ ୧୯୦ ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ ଟଙ୍କା, ଛୋଟ ଚିଙ୍ଗୁଡି ୨ଶହରୁ ୩ଶହ ଟଙ୍କା, ମହୁରାଳି ମାଛ ୨ଶହରୁ ୨୨୦ ଟଙ୍କା, ପୋହଳା ୨ଶହରୁ ୨୧୦ଟଙ୍କା, ମିରିକାଳି ୨୨୦ରୁ ୨୪୦ ଟଙ୍କା, ଭିକେଟ୍‌ ୬ଶହ ଟଙ୍କା, ଇଲିସି (ଆକାର ଅନୁଯାୟୀ) ୮ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ। ରାଜଧାନୀରେ ୨ଶହଟି ପଞ୍ଜୀକୃତ ମଟନ ଦୋକାନ ଥିବାବେଳେ ପ୍ରାୟ ଶହେଟି ଅଣପଞ୍ଜୀକୃତ ଦୋକାନ ରହିଛି। ସେହିପରି ଛୋଟବଡ଼ ଦୋକାନ ମିଶାଇ ସହରରେ ପ୍ରାୟ ୧ ହଜାର ପାଖାପାଖି ଚିକେନ ସେଣ୍ଟର ରହିଛି। ଏ ସମ୍ପର୍କରେ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେଶନ୍‌ର ରାଜ୍ୟ ସଭାପତି ସେକ୍‌ ମୁନ୍ତାକିନ୍‌ ବକ୍ସ କହିଛନ୍ତି, ଏଥର ଛାଡ଼ଖାଇ ଭଲ ବାରରେ ପଡୁଛି। ତେଣୁ ପୂର୍ବବର୍ଷ ଅପେକ୍ଷା ଭଲ ବେପାର ହେବ ବୋଲି ଆଶା ରଖିଛୁ। ରାଜଧାନୀରେ ପ୍ରାୟ ଦେଢ କୋଟି ଟଙ୍କାର ମଟନ୍‌ ବିକ୍ରି ହେବ ବୋଲି ଆଶା ରଖିଥିବାବେଳେ ୯ କୋଟି ଟଙ୍କାର ଚିକେନ୍‌ ବ୍ୟବସାୟ ହେବ। ଅନ୍ୟଦିନଗୁଡ଼ିକରେ ରାଜଧାନୀକୁ ଆନ୍ଧ୍ରରୁ ୩ଟି ମାଛ ଗାଡ଼ି ଆସିଥାଏ। ତେବେ ଛାଡ଼ଖାଇ ପାଇଁ ଏଥର ୧୨ଟି ଗାଡ଼ି ଅର୍ଥାତ୍‌ ୧ କୋଟି ୨୦ ଲକ୍ଷ ଟଙ୍କାର ମାଛ ଆସିବ। ତେବେ ଛାଡ଼ଖାଇ ପରଦିନ ମାଣବସା ଗୁରୁବାର ଥିବାରୁ କିଛି ଲୋକ ବୁଧବାର ଆମିଷ ଖାଇବେ ନାହିଁ। ତେଣୁ ଶୁକ୍ରବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଥିବା ମୁନ୍ତାକିନ୍‌ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.