ପଟ୍ଟାମୁଣ୍ଡାଇ,(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏସ.ଏଚ.ଜି ଗ୍ରୁପର ମହିଳାମାନେ ଏକ ସ୍ଥାନରେ ଭୋଜି କରୁଥିଲେ। କିଛି ମହିଳା ଖାଇସାରିବା ପରେ ଅନ୍ୟ ମାନଙ୍କୁ ଖାଇବା ପରସିବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ଏକ ବିଷଧର ମଲା ଚିତି ସାପ ବାହାରିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ମନରେ ଭୟ ସୃଷ୍ଟି ହେବାରୁ ଭୋଜିରେ ସାମିଲ ଥିବା ଲୋକମାନେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସାରେ ଡାକ୍ତର ସେମାନଙ୍କର ରକ୍ତ ଓ ଇସିଜି ପରୀକ୍ଷା କରି ଛାଡି ଦିଆଯାଇଥିବା ଜଣାପଡିଛି। ଅନ୍ୟ କିଛି ମହିଳା ଉତିକଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରମୌଳି ମହାଦେବଙ୍କ ନିକଟରେ ପୂଜାର୍ଚନା କରିଛନ୍ତି। ସମସ୍ତେ ସୁସ୍ଥ ଅଛନ୍ତି ସେମାନଙ୍କ କହିବା କଥା ପ୍ରଭୁ ଚନ୍ଦ୍ରମୌଳି ମହାଦେବ ବିଷ ହରଣ କରିଦେଲେ।

ପ୍ରକାଶ ଥାଉକି କେଉଁ ଆବାହନ କାଳରୁ ପ୍ରଭୁ ଶ୍ରୀ ଚନ୍ଦ୍ରମୌଳି ମହାଦେବ ଚନ୍ଦନନଗର ଠାରେ ବିରାଜମାନ କରିଛନ୍ତି ତାହାର ଇତିହାସ ନାହିଁ। ଆଖଣ୍ଡଳମଣିଙ୍କ ପରି ଚନ୍ଦ୍ରମୌଳି ମଧ୍ୟ ୯୦ଖଣ୍ଡି ମୌଜାର ଆରାଧ୍ୟ ଦେବତା ତଥା ଉତିକଣର ମଉଡମଣି। ସେଠାରେ ଯିଏ ଯାହା ମାନସିକ କରନ୍ତି ପ୍ରଭୁ ତାଙ୍କର ମନସ୍କାମନା ପୁରଣ କରିଥାନ୍ତି ବୋଲି ମାଳିକା ଓ ୯୦ଟି ଗ୍ରାମର ଲୋକ କୁହନ୍ତି। ସେଠାରେ କଳା ଗାଇ ଧଳା ହୋଇଛି, ସାପର ବିଷ ହରଣ ହୋଇଛି,ହଜିଯାଇଥିବା ଅଳଙ୍କାର ଫେରି ପାଇଛନ୍ତି ଏବଂ ପ୍ରଭୁଙ୍କ ଶରଣ ପଶିଲେ ମହାମାରୀ ରୋଗରୁ ଆରୋଗ୍ୟ ଲାଭ କରିଥିବାର ଲୋକମାନେ କୁହନ୍ତି।




