banner
Breaking

ପ୍ରବାସୀ ଫେରିବା ପାଇଁ ରାଜ୍ୟ ସବୁ ସହଯୋଗ କରନ୍ତୁ।

0

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କ୍ଷେତ୍ରରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟକୁ ପୁନର୍ବାର ଅନୁରୋଧ କରିଛି କେନ୍ଦ୍ର । କିଛି ରାଜ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି, ମାତ୍ର କେତେକ କ୍ଷେତ୍ରରେ ସମନ୍ବୟରେ ତ୍ରୁଟି ରହୁଛି । ଏହାକୁ ସୁଧାରିବାକୁ କେନ୍ଦ୍ର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି । କୋବିଦ-୧୯ ପରିଚାଳନା ଓ ମୁକାବିଲା ନେଇ  ନିଆଯାଇଥିବା ପଦକ୍ଷେପର ସମୀକ୍ଷା ବେଳେ କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ।  ଭାରତୀୟ ରେଳ ଦ୍ୱାରା ୩୫୦  ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ପ୍ରାୟ ୩.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଯାଇଛି ବୋଲି କ୍ୟାବିନେଟ ସଚିବ ସୂଚନା ଦେଇଥିଲେ । ଆହୁରି ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଲାଗି ଭାରତୀୟ ରେଳକୁ ସହଯୋଗ କରିବା ଲାଗି ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ବିଦେଶରୁ ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ରାଜ୍ୟମାନେ ସହଯୋଗ କରୁଥିବାର ସେ ଉଲ୍ଲେଖ କରିଥିଲେ । ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପରି କରୋନା ଯୋଦ୍ଧାଙ୍କର ବାଧାମୁକ୍ତ ଯାତାୟାତ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ନିଜ ନିଜ ରାଜ୍ୟର କୋଭିଡ-୧୯ ସଂକ୍ରମଣର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । କୋଭିଡ-୧୯ ସଂକ୍ରମଣକୁ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ତ୍ୱରାନ୍ୱିତ କରିବା ଲାଗି ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.