ଏଣିକି ୧୫ ଦିନରେ ମିଳିବ ଜାତିଗତ ପ୍ରମାଣପତ୍ର।

ଭୁବନେଶ୍ୱର, ୬।୪(ବ୍ୟୁରୋ)- ଜାତିଗତ, ଆବାସିକ, ଆୟ ଆଦି ବିଭିନ୍ନ ମିସ୍‌ଲାନିୟସ୍‌ ପ୍ରମାଣପତ୍ର ଯେପରି ଲୋକମାନଙ୍କୁ ଶୀଘ୍ର ମିଳିପାରିବ ସେନେଇ ରାଜ୍ୟ ସରକାର ମଙ୍ଗଳବାର ଏକ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜନକୈନ୍ଦ୍ରିକ ଏବଂ ପ୍ରଶାସନିକ ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲାପାଳଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତ୍ର ଲେଖି ଜଣାଇଛନ୍ତି।

ପରିବର୍ତ୍ତିତ ନିୟମ ଅନୁସାରେ ଆବାସିକ, ଆୟ ଏବଂ ସମ୍ପତ୍ତି ପ୍ରମାଣପତ୍ର ଏବେ ଆବେଦନର ୧୦ଦିନ ମଧ୍ୟରେ ମିଳିପାରିବ, ଯାହାକି ପୂର୍ବରୁ ୧୫ଦିନ ରହିଥିଲା। ସେହିପରି ତଫସିଲ୍‌ଭୁକ୍ତ ଜନଜାତି(ଏସ୍‌ଟି), ତଫସିଲ୍‌ଭୁକ୍ତ ଜାତି(ଏସ୍‌ସି), ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ର ଏବେ ମାସେ ପରିବର୍ତ୍ତେ ୧୫ଦିନ ମଧ୍ୟରେ ମିଳିପାରିବ।

ସମ୍ପତ୍ତି(ସଲ୍‌ଭେନ୍ସ), ଉତ୍ତରାଧିକାରୀ ଏବଂ ଅଭିଭାବକ ପ୍ରମାଣପତ୍ର ପୂର୍ବପରି ମାସେ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ତେଣୁ ଭିନ୍ନ ଭିନ୍ନ ଉପଯୋଗ ପାଇଁ ଏକାଧିକ ଆବେଦନର ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।