banner
Breaking

୨୪ ଘଣ୍ଟାରେ ୪ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। କରୋନା ନିଆଁ ଭଳି ମାଡି ଯାଇପାରେ -ସୁବ୍ରତୋ ବାଗଚୀ।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୩୧।୩(ଓଡ଼ିଆ ନ୍ୟୁଜ): ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି। ଏହାପଛରେ ଥିବା କାରଣଟି ହେଲା ଓଡ଼ିଶାର ଜନସାଧାରଣଙ୍କ ସଚେତନତା ଏବଂ ସହଯୋଗ। ଦୀର୍ଘ ୧୫ ଦିନ ଧରି ଲୋକମାନେ ସୁଖ ଓ ସ୍ବାଚ୍ଛନ୍ଦକୁ ତ୍ୟାଗ କରି ସାମାଜିକ ଦୂରତ୍ୱ ବଜାୟ ରଖିଛନ୍ତି। ସଂଗରୋଧ କରିଛନ୍ତି। ଲକ୍‌ଡାଉନ୍‌ରେ ରହିଛନ୍ତି। ସେଥିପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ।
ଏହାଛଡ଼ା ଲକ୍‌ଡାଉନ୍‌ ସମୟରେ ପୁଅଝିଅମାନେ ସବୁଠାରୁ ବେଶି ତ୍ୟାଗ ଏବଂ ଧୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ରାସ୍ତାଘାଟରେ ଛୋଟପିଲା ନଜର ଆସୁନାହାନ୍ତି। ସେମାନେ ଘରେ ରହି ବଡ଼ମାନଙ୍କ ପାଇଁ ଶୁଙ୍ଖଳାର ନିଦର୍ଶନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ନେହ ଜଣାଇଛନ୍ତି। ସେମାନେ ପରିବାରର ବଡ଼ମାନଙ୍କୁ ବୁଝାଇ ଘରେ ରହିବାକୁ କୁହନ୍ତୁ ବୋଲି ବାଗ୍‌ଚୀ ଅନୁରୋଧ କରିଛନ୍ତି।
ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’ ହାତରେ ରହିଛି। ଭାରତୀୟ ମହାନଗରୀ ଜନସଂଖ୍ୟାର ଘନତ୍ୱ ଯୁକ୍ତରାଷ୍ଟ୍ର ଆମେରିକାର ଯେକୌଣସି ସହର ଘନତ୍ୱଠାରୁ ଅଧିକ। ଦେଖିବାକୁ ଗଲେ ୨୦୧୧ ଜନଗଣନାନୁଯାୟୀ ଓଡ଼ିଶାର ୧୦ଟି ଜନବହୁଳ ସହର ହେଉଛି ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦା, ବଲାଙ୍ଗୀର। ମାତ୍ର ଘନତ୍ୱ ଦୃଷ୍ଟିରୁ ପୁରୀ, ଭୁବନେଶ୍ୱର, ବରଗଡ଼, ଭବାନୀପାଟଣା, ବ୍ରହ୍ମପୁର, ଭଦ୍ରକ, ରାୟଭଡ଼ା, ରାଉରକେଲା, କଟକ, ଜୟପୁର ଆଦି ଜନବହୁଳ ସହର। ନ୍ୟୁୟର୍କର ଜନବହୁଳତା ମୋଟାମାଟି ଭାବେ ପୁରୀ ସହରର ଜନବହୁଳତାକୁ ସାମଞ୍ଜସ୍ୟ କରାଯାଇପାରେ। ସେହିଭଳି ଜୟପୁର ରୋମ ସହରର ଘନତ୍ୱ ସହ ସମାନ। ଏହାକୁ ଅନୁଧ୍ୟାନ କରିବା ଆବଶ୍ୟକ। ଓଡ଼ିଶାରେ ୩ ପଜିଟିଭ୍‌ ଆସିଥିଲେ ହେଁ ନୀତିନିୟମ କୋହଳ କରିବାର ଆବଶ୍ୟକତା ନାହିଁ। ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା ରହିଛି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବାରମ୍ବାର ସାବୁନ ପାଣିରେ ହାତ ଧୁଅନ୍ତୁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ସଂଗରୋଧ କରନ୍ତୁ। ଲକ୍‌ଡାଉନ୍‌ରେ ରୁହନ୍ତୁ। କୌଣସି ସମସ୍ୟା ଦେଖାଦେଲେ ୧୦୪କୁ ଫୋନ କରନ୍ତୁ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର୧୯୯ ଦେଶ ଏବଂ ୨ ଜାହାଜରେ କରୋନା ସଂକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହା ୨୦୦ ଦେଶରେ ପହଞ୍ଚିଛି। ୭ଲକ୍ଷ ୨୪ ହଜାର ୭୫୯ଜଣ ସଂକ୍ରମିତ ଥିବା ବେଳେ ଅପରାହ୍ନ ସୁଦ୍ଧା ଏହା ୭ଲକ୍ଷ ୮୯ହଜାର ୯୩୬ରେ ପହଞ୍ଚିଛି। କରୋନା ଯୋଗୁ ସେମବାର ୩୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ମୋଟ ୩୮ହଜାର ୧୦୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ଦେଖିଲେ୨୪ ଘଣ୍ଟାରେ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଭାରତରେ ସୋମବାର ୧୦୭୧ ସଂକ୍ରମିତ ଥିବା ବେଳେ ମଙ୍ଗଳବାର ଏହା ୧୨୫୧ ହୋଇଛି। ମୃତ୍ୟୁ ସଂଖ୍ୟା ୨୯ ଥିବା ବେଳେ ଏବେ ଏହା ୩୨ରେ ପହଞ୍ଚିଛି ।

ସେହିଭଳି ଓଡ଼ିଶାରେ ମୋଟ ୪୭୩ ନମୂନାର ରିପୋର୍ଟ ଆସିଛି। ସେଥିରୁ ୩ ପଜିଟିଭ୍‌ ରହିଛି । ପ୍ରଥମ ୨ ରୋଗୀଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିବା ବେଳେ ୩ୟଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି। ସେହିଭଳି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୫୭ଜଣ କରୋନା ସନ୍ଦିଗ୍ଧ ରହିଛନ୍ତି। ସୁସ୍ଥ ଥିବା ଯୋଗୁ କିଛି ଲୋକଙ୍କୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ପୋର୍ଟାଲ ଏବଂ ୧୦୪ନଂ ଯୋଗେ ମୋଟ ୧୧୫୭୫ଜଣ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ୪ହଜାର ୩୦୪ଜଣ ଥିବା ବାଗ୍‌ଚୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ ପଶୁ ଚିକିତ୍ସାକାରୀ କ୍ଲିନିକ, ପଶୁ ଖାଦ୍ୟ ବିତରଣକାରୀ ଦେକାନ ଖୋଲା ରହିବ। ଏଗୁଡ଼ିକ ଅତ୍ୟାବଶ୍ୟକ ସେବା ଏବଂ ବସ୍ତୁ ଅନ୍ତର୍ଗତ ଥିବାରୁ ଦୋକାନଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୋଟିଏ ପଟେ କରୋନା ମୁକାବିଲା ଲାଗି ରାଜ୍ୟର ସମସ୍ତ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆମ୍ବୁଲାନ୍ସର ଅସଦ୍‌ବ୍ୟବହାର ହେଉଥିବା ନଜରକୁ ଆସିଛି। ଏହି ଦୂରାବସ୍ଥା ସମୟର ଲାଭ ଉଠାଇବାକୁ ଯାଇ କିଛି ଡ୍ରାଇଭର ଯାତ୍ରୀ ନେଉଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକମାନେ ମଧ୍ୟ ଆମ୍ବୁଲାନ୍ସ ଚାଳକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କୁ ନେବାକୁ ପ୍ରବର୍ତ୍ତାଉଥିବା ଦେଖାଯାଉଛି। ଆଗାମୀ ଦିନରେ ଏପରି କିଛି ନଜରକୁ ଆସିଲେ ସମ୍ପୃକ୍ତ ଚାଳକଙ୍କୁ ଗିରଫ କରାଯିବ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଗାଡ଼ିକୁ ମଧ୍ୟ ବାଜ୍ୟାପ୍ତ କରାଯିବ। ଶେଷରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ନୂଆଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧାର୍ମିକ ସଭାରେ କିଛି ଓଡ଼ିଆ ସାମିଲ ହୋଇଥିଲେ। ଏଯାବତ୍‌ ୩ଜଣଙ୍କ ବିଷୟରେ ସରକାର ଅବଗତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହ ସେମାନଙ୍କର ପରିବାରବର୍ଗକୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହିଭଳି ଅନ୍ୟମାନଙ୍କୁ ଟ୍ରାକ୍‌ କରିବାକୁ ଚେଷ୍ଟା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.