banner
Breaking

କରୋନା ଅପଡେଟ ଓଡିଶାରେ ୩୭୦ ନମୁନାରୁ ସବୁ ନେଗେଟିଭ।

0

ଭୁବନେଶ୍ୱର, ୩୦ା୩ (ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି । ଯିଏ ଯେଉଁଠି ଅଛନ୍ତି ସେଠି ରହିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହାସହ ଫସିଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ବହୁ ରାଜ୍ୟରେ ଥିବା ଓଡ଼ିଆ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି । ଆମ ରାଜ୍ୟରେ ଫସିରହିଥିବା କର୍ମଜୀବୀଙ୍କ ଧ୍ୟାନ ନେବା ଆମ ଦାୟିତ୍ୱ ବୋଲି ବାଗଚୀ କହିଛନ୍ତି । ବହାର ରାଜ୍ୟର ଶ୍ରମିକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ଏହାସହ ୧୮୦୦୩୪୫୬୭୦୩ ନମ୍ବରରେ ସମ୍ପର୍କ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ପଞ୍ଚାୟତସ୍ତରରେ ଅସହାୟ ଲୋକଙ୍କ ଖାଇବା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟର ଜରୁରୀକାଳିନ ଭିତ୍ତିରେ କୋଡ଼ିଭ ୧୯ ହସ୍ପିଟାଲ ତିଆରି ଚାଲିଛି । ଆକ୍ରାନ୍ତ ବ୍ୟକ୍ତି ସରକାରଙ୍କ ପକ୍ଷରୁ ମାଗଣାରେ ସେବା ପାଇବେ । ୧୦% ଲୋକ ଏଯାଏଁ ଘଟଣାର ଗୁରୁତ୍ୱ ବୁଝୁନାହାନ୍ତି ବୋଲି ସେ କହିଛନ୍ତିି ।
ବିଶ୍ୱରେ ୭ଲକ୍ଷ ୨୪ହଜାର ୭୫୯ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୪ହଜାର ୨୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ କରୋନାରେ ଦେଶରେ ୩ଟା ସୁଦ୍ଧା ୧୦୭୧ ଜଣ ଆକ୍ରାନ୍ତ ଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମିତ ଦେଶ ତାଲିକାରେ ୪୧ତମ ସ୍ଥାନରେ ଅଛି ଭାରତ । ଏହାସହ ପରାମର୍ଶ ଦେଇ ବାଗଚୀ କହିଛନ୍ତି ଯେ ହାତକୁ ସାବୁନରେ ବାରମ୍ବାର ୨୦ସେକେଣ୍ଡ ଯାଏଁ ଧୁଅନ୍ତୁ । କବାଟ, ଆସବାପତ୍ର, ଅନ୍ୟ କାହାର ଫୋନ ଛୁଇଁଲେ ହାତ ଧୁଅନ୍ତୁ । ବାହାରୁ ଘରକୁ ଫେରିବା ପରେ ହାତ ଧୁଅନ୍ତୁ । ପ୍ରତିଦିନ ବଜାର ସଉଦା ପାଇଁ ଯାଆନ୍ତୁନି । ସ୍ତ୍ରୀ ଲୋକଙ୍କ ଉପରେ ଅଧିକ ପରିଶ୍ରମରେ ବୋଝ ପକାନ୍ତୁନି । ଘର କାମରେ ମହିଳାଙ୍କୁ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହିଁ । ୩୭୦ଜଣଙ୍କ ରକ୍ତ ନମୁନାର ରିପୋର୍ଟ ଆସିଛି । କିନ୍ତୁ ପୂର୍ବ ୩ଜଣ ପଜିଟିଭ ବ୍ୟତୀତ ଅନ୍ୟ ସବୁ ରିପୋର୍ଟ ନେଗେଟିଭ୍ ଆସିଛି । ବର୍ତ୍ତମାନ ଓଡ଼ିଶାର ୭୬ଜଣ ସନ୍ଦିଗ୍ଧ କ୍ୱାରେଣ୍ଟାଇନରେ ଅଛନ୍ତି । ଏହାସହ ଓଡ଼ିଶାରେ ମୋଟ୍ ୧୦ହଜାର ୨୭୦ଜଣ ପଞ୍ଜିକରଣ କରିଛନ୍ତି ।

ସେହିପରି ତାଲାବନ୍ଦକୁ କଡ଼ାକଡ଼ି କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡ଼ିଜିପି ଅଭୟ କହିଛନ୍ତି । ହୋମକ୍ୱାରେଣ୍ଟାଇନ ପାଳନ ନକଲେ ମାମଲା ରୁଜୁ ହେଉଛି ବୋଲି ସେ କହିଛନ୍ତି । ଭୟଭୀତ ହେବାର କୌଣସି କାରଣ ନାହିଁ । ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁନି ଯଦି କିଛି ସମସ୍ୟା ରହିଛି ତେବେ ଘରେ ରହି ଫୋନ କରିବାକୁ ପରାମର୍ଶ ଦେଇ କହିଛନ୍ତି ଡିଜିପି ।

Khansweb Solution Bhubaneswar

Leave A Reply

Your email address will not be published.