banner
Breaking

କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି।

ଗଡିବନି ବସ୍,ବିନା ପାସରେ ଗଡିବନି ଗାଡି, ଘରକୁ ଜିବ ଅଙ୍ଗନବାଡି

0

ଭୁବନେଶ୍ୱର,୨୩।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଆଉ ଏକ ବଡ଼ କଟକଣା ଲଗାଇଛନ୍ତି ରାଜ୍ୟସରକାର। ମଙ୍ଗଳବାର ଅର୍ଥାତ୍‌ ୨୪ ତାରିଖ ପୂର୍ବାହ୍ନ ୧୧ଟାଠାରୁ ସମସ୍ତ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହି ନିୟମ ଜାରି ରହିବ। ସେହିପରି ସମସ୍ତ ସହରାଞ୍ଚଳରେ ମଧ୍ୟରାତ୍ରିରୁ ସିଟି ବସ୍‌ ସେବା ବନ୍ଦ ରହିବ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।
ସେପଟେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଟେକ୍‌ ହୋମ୍‌ ରାଶନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀ ବା ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ। ସେହିଭଳି ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ। ପ୍ରତ୍ୟେକ ପରିବାରକୁ ପ୍ରତି ସପ୍ତାହରେ ଅଣ୍ଡା ମଧ୍ୟ ଦିଆଯିବ। ଛତୁଆ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୂରତ୍ୱ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକ ପ୍ରୋଟୋକଲ୍‌ ନିଶ୍ଚୟ ପାଳନ କରିବାକୁ କୁହାଯାଇଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।
ଲକ୍‌ଡାଉନ୍‌ ଘୋଷିତ ଅଞ୍ଚଳରେ ଅବସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଛାତ୍ରାବାସଗୁଡ଼ିକରେ ଆସନ୍ତା ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସ୍କଲାରସିପ୍‌ ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ ହେବ। ଏଥିସହିତ ଏହି ସମୟ ମଧ୍ୟରେ ଅନ୍ତେବାସୀମାନଙ୍କୁ ସେମାନଙ୍କ ମାତାପିତା ବା ଅଭିଭାବକ ବା ପ୍ରତିନିଧିମାନେ ଛାତ୍ରାବାସରୁ ସାଥିରେ ଘରକୁ ନେଇଯିବେ। ଏଥିପାଇଁ ସେମାନେ ନିଜେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବେ। ସେମାନଙ୍କୁ ସମ୍ପୃକ୍ତ ପ୍ରଧାନଶିକ୍ଷକ ବା ଶିକ୍ଷକମାନେ ଏକ ପ୍ରମାଣପତ୍ର ଦେବେ। ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶାଯାଇଥିବ। ଫଳରେ ଲକ୍‌ଡାଉନ୍‌ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ରହିବ ବୋଲି ବାଗ୍‌ଚୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.