banner
Breaking

ଚନ୍ଦ୍ରଶେଖରପୁରରେ ୫ ଦିନରେ ଗଲାଣି ୪ ମୁଣ୍ଡ।

0

ଭୁବନେଶ୍ବର,୧୨/୬(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁରରେ ଚାଲିଛି ମୃତ୍ୟୁର ଖେଳ। ପାଞ୍ଚ ଦିନରେ ଗଲାଣି ୪ ମୁଣ୍ଡ। ୮ ଓ ୯ ତାରିଖରେ ନୀଳାଦ୍ରି ବିହାର ଏବଂ ଶୈଳଶ୍ରୀବିହାର ଅଞ୍ଚଳରେ ଦୁଇଜଣ ଯୁବକ ଆତ୍ମହତ୍ୟା କରିଥିଲା ବେଳେ ଆଜି ଯାଇଛି ଆଉ ଦୁଇଟି ଜୀବନ। ସେଥିମଧ୍ୟରୁ ଜଣକୁ ପିଟିପିଟି ହତ୍ଯା କରାଯାଇଥିବା ବେଳେ ଅନ୍ୟ ଜଣେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛି।


ସୂଚନା ଅନୁଯାୟୀ ଆଜି ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ରାଜମିସ୍ତ୍ରୀ ରାହାସ ବେହେରା (୪୦ ବର୍ଷ)। ପୋଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ସନାତନ ତାଙ୍କର ଶଢ଼ୁ ଘରକୁ ଆସିଥିବା ବେଳେ ରାହାସଙ୍କ ସହ ମିଶି ହାଣ୍ଡିଆ ପିଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସନାତନ ରାହାସଙ୍କୁ ଏକ କାଠଫାଳିଆରେ ପିଟିପିଟି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି।


ଅନ୍ୟ ଏକ ଦୁର୍ଘଟଣା ଘଟିଛି ଇନଫୋସିଟି ଥାନା ଅଧୀନସ୍ଥ ମାଗ୍ନେଟ ଛକରେ। ବିଏମସି ଅଳିଆ ବୋଝେଇ ଟ୍ରକ ଧକ୍କାରେ ଇଣ୍ଡୋକୋ ମେଡିସିନର ଏରିଆ ମ୍ୟାନେଜର ମୃତ ଘଟିଛି। ଏରିଆ ମ୍ୟାନେଜରଙ୍କ ନାମ ବିଶ୍ବଜିତ ସ୍ବାଇଁ ହୋଇଥିବା ବେଳେ ସେ ଜୟଦେବ ବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲେ । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଇଣ୍ଡୋକୋ ମେଡିସିନର ଭୁବନେଶ୍ବର ଏରିଆ ମ୍ୟାନେଜର ବିଶ୍ବଜିତ ସ୍ବାଇଁ ନିଜ ବାଇକ(ଗାଡିନଂ-ଓ ଆର ଜିରୋ ଓ୍ବାନ ଆର- ୨୦୨୨)ରେ ଜୟଦେବ ବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲେ । ମାଗ୍ନେଟ ଛକରେ ବିଏମସିର ଏକ ଡମ୍ଫର(ଗାଡି ନଂ-ଓଆରଜିରୋଫୋର ଏମ-୦୫୩୩) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଇନଫୋସିଟି ଥାନା ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଗାଡିର ଫିଟନେସ ତଥା ଗାଡିର ପରମିଟ ଓ ଅନ୍ୟାନ୍ୟ କାଗଜପତ୍ର ସଠିକ ଥିଲା କି ନାହିଁ? ତଥା କେଉଁ କାରଣରୁ ଦୁର୍ଘଟଣା ହୋଇଛି ସେ ସଂପର୍କରେ ପୋଲିସ ଯାଞ୍ଚ କରୁଛି ।

Khansweb Solution Bhubaneswar

Leave A Reply

Your email address will not be published.