banner
Breaking

ଗୁଗୁଲକୁ ପଛରେ ପକାଇଲା ଟିକଟକ୍

0

ନୂଆଦିଲ୍ଲୀ,୨୬ା୧୨: ବିଶ୍ୱର ଅଗ୍ରଣୀ ଆଇଟି ସେବା ପ୍ରଦାନକାରୀ ଓ୍ବେବ୍‌ସାଇଟ ଗୁଗଲକୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚିଛି ଚାଇନାର ଟିକ୍‌ଟକ୍‌ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକ୍‌ଟକ୍‌କୁ ଦେଖିଛନ୍ତି। ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ୍‌ରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆଇଟି ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେରର ଏକ ରିପୋର୍ଟରୁ ଏହା ଜଣାପଡିଛି। ଉକ୍ତ ରିପୋର୍ଟ ଅନୁସାରେ ୨୦୨୧ ଫେବୃୟାରୀ, ମାର୍ଚ୍ଚ ଓ ଜୁନ୍‌ରେ ଗୁଗଲ ତୁଳନାରେ ଅଧିକ ଲୋକ ଟିକ୍‌ଟକ୍‌ ସାଇଟ୍‌ ଦେଖିଥିଲେ। ସେହିପରି ଗତ ଅଗଷ୍ଟଠାରୁ କ୍ରମାଗତ ଭାବେ ଟିକ୍‌ଟକ୍‌ ୧ମ ଓ ୨ୟ ସ୍ଥାନରେ ରହି ଆସୁଥିଲା ବୋଲି ସୂଚନା ମିଳିଛି। ସେହିଭଳି ୨୦୨୦ ପର୍ଯ୍ୟନ୍ତ ଗୁଗଲକୁ ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ ଭାବେ ଗଣନା କରାଯାଉଥିଲା। ସେହିପରି ଟିକ୍‌ଟକ୍‌, ଆମାଜନ, ଆପଲ, ଫେସ୍‌ବୁକ୍‌, ମାଇକ୍ରୋସଫ୍ଟ, ନେଟ୍‌ଫ୍ଲିକ୍ସ ପରି ଆଗ ଧାଡ଼ିର େଓବ୍‌ସାଇଟ୍‌ ତଳକୁ ତଳ ଟପ୍‌ ୧୦ ମଧ୍ୟରେ ଗଣନା ହୋଇଥିଲେ। କୋଭିଡ୍‌ ସଂକ୍ରମଣ ପରଠାରୁ ଟିକ୍‌ଟକ୍‌ର ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଇବା ସହ ଅନ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ସ୍ଥାନ ହାସଲ କରି ଚାଲିଥିଲା ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି। କୋଭିଡ୍‌ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଭୟର ବାତାବରଣ ଦେଖା ଦେଇଥିଲା। ୨୦୨୦ ପ୍ରଥମରୁ ବିଭିନ୍ନ ଦେଶରେ ଲକ୍‌ଡାଉନ ଭଳି କଟକଣା ଲଗାଯାଇଥିଲା। ସରକାରଙ୍କ ଗାଇଡ୍‌ଲାଇନ ଯୋଗୁ ଲୋକମାନେ ଘରେ ରହିବା ପରେ ଟିକ୍‌ଟକ୍‌ ସବୁ ବର୍ଗଙ୍କ ପାଇଁ ମନୋରଞ୍ଜନ ସହ ସମୟ ଅତିବାହିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟି ଯାଇଥିଲା। ବିଶେଷକରି ଟିକ୍‌ଟକ୍‌ ଜରିଆରେ ବିଭିନ୍ନ ବର୍ଗର ଲୋକ ମଜାଦାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ପ୍ରଶଂସା ସହ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରୁଥିଲେ। ଭାରତରେ ମଧ୍ୟ ଏହାର ଚାହିଦା ବେଶ୍‌ ଭଲ ରହିଥିଲା। ଦେଶର ନୀତିନିୟମ ଉଲ୍ଲଂଘନ ସାଙ୍ଗକୁ ଆଇନଶୃଙ୍ଖଳା ପରିସ୍ଥିତି ଭଳି ଭିଡିଓ ଏହା ଜରିଆରେ ଜାରି କରାଗଲା। ଫଳରେ ଗତବର୍ଷଠାରୁ ସରକାର ଉକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଭାରତରେ ଟିକ୍‌ଟକ୍‌କୁ ନିଷିଦ୍ଧ କରାଯାଇଛି। ସେହିପରି ଗଲ୍‌ଓ୍ବାନଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.