banner
Breaking

କଳା ବଜାରୀଙ୍କ ଉପରେ କଡା ନଜର।

0

ଭୁବନେଶ୍ୱର, ୬ା୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦ୍ରୁତ ସଂକ୍ରାମକ ହୋଇଥିବାରୁ ରାଜ୍ୟ ସରକାର ବୁଧବାରଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି। ଲକ୍‌ଡାଉନ ଲାଗୁ ହେବା ପୂର୍ବରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଘଟିଛି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କଳାବଜାର ଉପରେ କଡ଼ା ନଜର ରଖିଛି। ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦକାରୀ ଓ କଳାବଜାରକାରୀ ବିରୋଧରେ ସରକାର ଶୂନ୍ୟ ସହନଶୀଳ (ଜିରୋ ଟଲେରାନ୍ସ) ନୀତିକୁ ଜୋର ଦେଇଛନ୍ତି। ତଦନୁଯାୟୀ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଜିଲା ଯୋଗାଣ ଅଧିକାରୀ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ବୁଲି ବେଆଇନ୍‌ ମହଜୁଦକାରୀ ଏବଂ କଳାବଜାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ବର୍ତ୍ତମାନ ରାଜ୍ୟରେ ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଆଳୁ, ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି। ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଥିଲେ ମଧ୍ୟ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପରିବା, କ୍ଷୀର ଓ ମାଛମାଂସ ଦୋକାନ ସକାଳ ୬ଟାରୁ ଅପରାହ୍ନ ୧୨ଟା ଯାଏ ଖୋଲା ରହୁଛି। ଏହାସହ ଅତ୍ୟାବ୍ୟଶକ ସାମଗ୍ରୀର ଆମଦାନୀ ଓ ପରିବହନରେ କୌଣସି କଟକଣା ନାହିଁ। ତେଣୁ ଜନସାଧାରଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ନିମନ୍ତେ ମନ୍ତ୍ରୀ ସ୍ବାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ନ ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀମାନେ ମଧ୍ୟ ସାମଗ୍ରୀର ଚାହିଦା ଅନୁଯାୟୀ ଆମଦାନୀ କରୁଛନ୍ତି। ଯୋଗାଣ ବିଭାଗ କର୍ମଚାରୀମାନେ ଏହାର ତଦାରଖ କରି ଦୈନନ୍ଦିନ ରିପୋର୍ଟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ୱାସ ନ କରି ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣାକିଣି କରିବା ସହିତ କଳାବଜାର ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ା

Khansweb Solution Bhubaneswar

Leave A Reply

Your email address will not be published.