banner
Breaking

ସ୍ଥଳଭାଗ ଛୁଇଁଲା ବୁଲବୁଲ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ଭୟଙ୍କର ରୂପ ଧାରଣ କରିଥିବା ବୁଲବୁଲ ପଶ୍ଚିମବଙ୍ଗ- ବାଂଲାଦେଶ ମଝିରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇବା ବେଳେ ପବନର ବେଗ ୧୪୦ରୁ ୧୮୦ କିଲୋମିଟର ରହିଛି । ବର୍ତ୍ତମାନ ଏହା ସାଗର ଦୀପଠାରୁ ୪୦ କିମି ଦୁରରେ ଥିବା ବେଳେ ଦୀଘାଠାରୁ ୮୫ କିମି ଦୁରରେ ରହିଛି । ତେବେ ଏହା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ପବନର ବେଗ ୧୧୫-୧୨୫ କିମି ପର୍ଯ୍ୟନ୍ତ ରହିଥିଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ଏହି ସ୍ଥଳଭାଗକୁ ଛୁଇଁଛି । ତେବେ ଓଡ଼ିଶାରେ ଏହା ପ୍ରକୋପ ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲା । ସ୍ଥଳଭାଗ ଛୁଇଁବା ବେଳେ ବୁଲବୁଲ ତାଣ୍ଡବ ରଚିଛି । ଭୟଙ୍କର ରୂପରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଥିବା ବୁଲବୁଲ ଗଛପତ୍ର, ଘରଦ୍ୱାର ଭାଙ୍ଗିରୁଜି ଛିନଛତ୍ର କରୁଛି ।
ତେବେ ‘ବୁଲବୁଲ’ ଓଡ଼ିଶା ଉପକୂଳରୁ ବିଦାୟ ନେଇଛି । ହେଲେ ଶନିବାର ଦିନ ତମାମ ବର୍ଷା ପବନ ମାଡ଼ରେ ଛାରଖାର ହୋଇଯାଇଛି ଉପକୂଳ ଓଡ଼ିଶା । ବାତ୍ୟାଟି ଯେତେ ପାଖକୁ ଆସୁଥିଲା ଓଡ଼ିଶାରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ସେତେ ଘନଉଥିଲା । ଶୁକ୍ରବାର ରାତିଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ଶନିବାର ବୃଦ୍ଧି ପାଇ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ସ୍ଥାନରେ ଜାରି ରହିଥିଲା । ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ବେଳେ ଶନିବାର ସକାଳୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ଯାଇ ମୁଖ୍ୟଶାସନ ସଚିବ ବାତ୍ୟା ଗତିବିଧି ମଧ୍ୟ ପଚାରି ବୁଝିଥିଲେ । 
ସକାଳୁ ଏହାର ପ୍ରଭାବ ଧିରେ ଧିରେ ବଢ଼ିବା ସହିତ ଦିନ ୩ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ପବନର ପ୍ରଭାବ ଅଧିକ ପଡ଼ିଥିବା ବେଳେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରକୋପ ସର୍ବାଧିକ ରହିଥିଲା । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୭୦ ରୁ ୮୦ କିମି ବେଗରେ ପବନ ବୋହିବା ସହିତ ବେଳେ ବେଳେ ଏହା ୯୦ କିମି ପର୍ଯ୍ୟନ୍ତ ଟପିଥିଲା । ସେହିପରି ଧାମରା ବନ୍ଦରଠାରେ ପବନର ବେଗ ସର୍ବାଧିକ ୧୧୦ କିମି ପରିଲକ୍ଷିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.