banner
Breaking

ଉତ୍ତରର ତିନି ଦକ୍ଷ କର୍ପୋରେଟରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ

ବିଏମସି ଅଧ୍ୟକ୍ଷ ନିର୍ବାଚନ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷ ଭାବେ ମେୟର ସୁଲୋଚନା ଦାସ ରହିଛନ୍ତି। ବାକି ୯ଟି କମିଟିର ଅଧ୍ୟକ୍ଷ ପଦ ବିଜେଡି କର୍ପୋରେଟରଙ୍କୁ ମିଳିଛି। ବିଶେଷକରି ଯେଉଁମାନେ ଡେପୁଟି କମିଶନର ଦୌଡରେ ରହିଥିଲେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ପୁରୁଣା ତଥା ଏକାଧିକଥର ଜିତିଥିବା କର୍ପୋରେଟରଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ୱାର୍ଡ଼ ନଂ. ୬ର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଟ୍ୟାକସେସନ୍‌, ଫାଇନାନ୍ସ ଆଣ୍ଡ୍‌ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ସର୍ବସାଧାରଣ କାର୍ଯ୍ୟ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୪୫ କର୍ପୋରେଟର ଅମରେଶ ଜେନା, ଯୋଜନା ଏବଂ ବିକାଶ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ. ୩୨ର କର୍ପୋରେଟର ଶ୍ରୀଧର ଜେନା,

ୱାର୍ଡ଼ ନଂ.୧ର କର୍ପୋରେଟର ମିହିର ରାଉତ ଶିକ୍ଷା, ମନୋରଞ୍ଜନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ,

ଲାଇସେନ୍ସ ଆଣ୍ଡ୍‌ ଅପିଲ୍‌ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୨୦ର ପ୍ରେମାନନ୍ଦ
ଜେନା, କର୍ପୋରେଶନ ପ୍ରତିଷ୍ଠା ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୩୧ର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଏବଂ ସାମାଜିକ ନ୍ୟାୟ କମିଟିରେ ୱାର୍ଡ଼ ନଂ.୫୧ର କର୍ପୋରେଟର ବିନୟିନୀ ଜେନା, ବସ୍ତିବାସିନ୍ଦା ଥଇଥାନ ସମ୍ପର୍କିତ ଅତିରିକ୍ତ କମିଟିର ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ.୫୩ର କର୍ପୋରେଟର ମହାମାୟା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋନୀତ ହେବାର ୭ଦିନ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚିତ ହେବାର ଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଅପରପକ୍ଷେ ଷ୍ଟାଣ୍ଡିଂ କମିଟିରେ ବିଜେଡି, ଭାଜପା ଏବଂ ସ୍ବାଧୀନ କର୍ପୋଟେରଙ୍କୁ ସ୍ଥାନ ମିଳିଥିଲେ ବି ଅଧ୍ୟକ୍ଷ ପଦବୀ ବିଜେଡି କବ୍‌ଜାରେ ରହିଛି। କାର୍ଯ୍ୟକ୍ରମରେ କମିଶନର ସଞ୍ଜୟ କୁମାର ସିଂହ, ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ବିନୟ କୁମାର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ସଂଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଳାକାନ୍ତ ବେହେରା ନିର୍ବାଚନ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.