banner
Breaking

ବ୍ଲୁଇସ ଆପକୁ ଜାତୀୟ ଇ-ଗଭର୍ଣ୍ଣାସ୍ ସ୍ବର୍ଣ୍ଣ ପୁରସ୍କାର

0

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ଜୁଲାଇରେ ଲୋକାର୍ପଣ ହୋଇଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ୍‌ (ବ୍ଲୁଇସ୍‌) ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର ହାତେଇଛି। ଶୁକ୍ରବାର ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ନାନ୍ସ ସମ୍ମିଳନୀରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଓରସାକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟ ଓ ଜାତୀୟସ୍ତରୀୟ ୮୯ ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍‌ ଶ୍ରେଷ୍ଠ ବିବେଚିତ ହୋଇଛି। ଏହି ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକ୍‌କୁ ସାଧୁବାଦ ଜଣାଇଛନ୍ତି। ବ୍ଲୁଇସ୍‌ ଆପ୍‌କୁ ରାଜ୍ୟର ଅନ୍ୟ ବଡ଼ ସହରାଞ୍ଚଳରେ ପ୍ରୟୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଠିକ୍‌ ଭାବେ ସରକାରୀ ଜମି ଚିହ୍ନଟ ଓ ଜମିର ସୁରକ୍ଷା ନିମନ୍ତେ ସାଟେଲାଇଟ୍‌ ଚିତ୍ର, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି। ବ୍ଲୁଇସ୍‌ ଆପ୍‌ ସମ୍ପର୍କରେ ସୂଚନାଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୋପ୍ରା କହିଛନ୍ତି, ଏହାକୁ ଉଭୟ ନାଗରିକ ଓ ଅଧିକାରୀମାନେ ବ୍ୟବହାର କରିପାରିବେ। ଏହି ଆପ୍‌ ବ୍ୟବହାର କରି ନାଗରିକମାନେ ସରକାରୀ ଜମିର ସନ୍ଦେହଜନକ ଜବର ଦଖଲ ଓ ଅପବ୍ୟବହାର ବିଷୟରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇପାରିବେ। ଓରସାକ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଲ୍ଲିକ ବ୍ଲୁଇସ୍‌ ସଫ୍ଟଓ୍ବେରର ବୈଷୟିକ ବିଶେଷତ୍ୱ ଏବଂ କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇଥିଲେ। ଏହି ଆପ୍‌ ମାଧ୍ୟମରେ ଅଦ୍ୟାବଧି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅନ୍ତର୍ଗତ ୮୨୬ଟି ଜବରଦଖଲ ମାମଲା ଚିହ୍ନଟ ହୋଇଛି। ୪୮୪ ମାମଲାର ଫଇସଲା କରାଯାଇ ସରକାରୀ ଜମି ସୁରକ୍ଷିତ ରଖାଯାଇପାରିଛି। ଝାଡ଼ଖଣ୍ଡର ରାଞ୍ଚତ୍ ଏବଂ ଆସାମର ଗୁଆହାଟୀରେ ଏଭଳି ସଫ୍ଟଓ୍ବେରର ପ୍ରୟୋଗ ନିମନ୍ତେ ସେଠାକାର ସରକାର ଓଡ଼ିଶାର ସହଯୋଗ ଲୋଡ଼ିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.