banner
Breaking

ଭାଜପା ଆଣିଲା ବିଜେଡି ନାରେ ଅଭିଯୋଗ। ବିଜେଡିର କଡା ଜବାବ।

0

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):‘ଜାଗା ମିଶନ’କୁ ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ମିଳିଥିବା ନେଇ ରାଜ୍ୟ ସରକାର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୟଂ ଏନେଇ ଟୁଇଟ୍‌ କରିବା ପରେ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏହି ଆୱାର୍ଡ ପ୍ରଦାନ କରିଥିବା ୱାଲର୍‌ଡ ହାବିଟାଟ୍‌ ଅଫିସିଆଲର ୱେବସାଇଟ ଅନୁସାରେ କର୍ନାଟକର ଆଦିବାସୀ ଅଞ୍ଚଳରେ କାମ କରୁଥିବା ‘ଆକ୍ସନଏଡ ଇଣ୍ଡିଆ’ ଓ ସ୍ପେନର ଏକ ସଂସ୍ଥାର ନାମକୁ ପ୍ରଥମ ପୁରସ୍କାର ମିଳିଥିବା ନେଇ ଉଲ୍ଲେଖ ରହିଛି ବୋଲି ଭାଜପା ପକ୍ଷରୁ କୁହାଯାଇଛି। ୱାଲର୍‌ଡ ହାବିଟାଟ ଆୱାର୍ଡରେ ବିଜେତାମାନଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। ରାଜ୍ୟ ସରକାରଙ୍କ ଜାଗା ମିଶନ ପ୍ରକଳ୍ପକୁ ଏହି ପୁରସ୍କାର ପାଇଁ ଫାଇନାଲ ରାଉଣ୍ଡକୁ ମନୋନୀତ କରାଯାଇଥିଲା। ଏହି ପ୍ରତିଯୋଗିତାର ଫାଇନାଲିଷ୍ଟଙ୍କୁ ସିଲଭର ଓ ବ୍ରୋଞ୍ଜ ପଦକ ଦିଆଯାଏ। ପୁରସ୍କାର ପ୍ରଦାନ କରିଥିବା ସଂସ୍ଥା ନିଜର ଅଫିସିଆଲ ୱେବସାଇଟରେ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ସରକାର ହିତାଧିକାରୀଙ୍କୁ ପଟ୍ଟା ବଦଳରେ ଖଣ୍ଡେ କାଗଜ ଧରାଇ ମିଛ ତଥ୍ୟ ରଖି ଆଓ୍ବାର୍ଡ ହାତେଇଛନ୍ତି ବୋଲି ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଭ୍ରମିତ କରି ପୁରସ୍କାର ପାଇବା ପାଇଁ ସରକାର ଜାଗା ମିଶନର ହିତାଧିକାରୀ ସଂଖ୍ୟା ସମ୍ପର୍କରେ ଭୁଲ ତଥ୍ୟ ଦେବା ଅତ୍ୟନ୍ତ ସାଙ୍ଘାତିକ କଥା। ୨୦୦୮ରେ ଜାଗା ମିଶନ ଉଦ୍‌ଘାଟନ କଲାବେଳେ ସରକାର ୧୦ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ବୋଲି କହିଥିଲେ। ବିଭିନ୍ନ ସମୟରେ ସରକାରୀ ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ଜାଗା ମିଶନରେ ଜମି ମିଳିବାର ଯୋଜନା ରହିଛି। ତେବେ ୱାର୍ଲ୍ଡ ହାବିଟାଟ୍‌ ଆୱାର୍ଡ ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ଓଡିଶା ଜାଗା ମିଶନରେ ହିତାଧିକାରୀଙ୍କ ସଂଖ୍ୟା ୧୮ଲକ୍ଷ ଦର୍ଶାଯାଇଛି। ସରକାର ହିତାଧିକାରୀଙ୍କୁ ସ୍ଥାୟୀ ଜମି ପଟ୍ଟା ମଧ୍ୟ ପ୍ରଦାନ କରିନାହାନ୍ତି। କେବଳ ଖଣ୍ଡେ ଖଣ୍ଡେ କାଗଜ ଦେଇ ରହିଯାଇଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଭାଜପା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା ପରିବର୍ତ୍ତେ ଏହାକୁ ନେଇ ବିରୋଧୀ ଈର୍ଷାନ୍ବିତ ହୋଇ ହୀନ ରାଜନୀତି କରୁଛନ୍ତି। ଏହାଦ୍ୱାରା ରାଜ୍ୟର ମର୍ଯ୍ୟାଦା ହାନି ହେଉଛି। କୌଣସି ଭାଜପା ଶାସିତ ରାଜ୍ୟ ଏଭଳି ପୁରସ୍କାର ପାଇ ନ ଥିବାରୁ ରାଜ୍ୟ ଭାଜପା ନେତୃବୃନ୍ଦ ଈର୍ଷାନ୍ବିତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.