banner
Breaking

ଦାୟିତ୍ୱ ନେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଞ୍ଜୟ।

0

ଭୁବନେଶ୍ୱର,୩ା/୩ (ଓଡ଼ିଆ ନ୍ୟୁଜ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସଞ୍ଜୟଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ରବିବାର ପ୍ରକାଶ ପାଇଥିଲା। ଏହି ପଦବୀ ସହ ସଞ୍ଜୟଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିଛି। ସୋମବାର ପୂର୍ବାହ୍ନରେ ସଞ୍ଜୟ ଦାୟିତ୍ୱ ନେବା ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି ସମୟରେ ଯୋଜନା ବୋର୍ଡର ରୂପରେଖ ପରିବର୍ତ୍ତନ ଏବଂ ଜନସାଧାରଣଙ୍କ ସେବାରେ ଏହାକୁ ସକ୍ରିୟଭାବରେ ଭାଗୀଦାରି କରିବା ନେଇ ଆଲୋଚନା ହୋଇଥିଲା। ଦାୟିତ୍ୱ ନେବା ସମୟରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ଗଣମାଧ୍ୟମକୁ ମତାମତ ଦେଇ ଯୋଜନା ବୋର୍ଡକୁ ଅଧିକ ଫଳପ୍ରଦ କରାଯିବା ସହ ଜିଲା ଯୋଜନାକୁ ବୋର୍ଡ ମାଧ୍ୟମରେ ଅଧିକ ଗତିଶୀଳ କରାଯିବ। କେରଳ ଓ ତେଲେଙ୍ଗାନା ଭଳି ରାଜ୍ୟ ଯୋଜନା ବୋର୍ଡ ନୂଆ ରୂପ ପାଇବ ବୋଲି ସଞ୍ଜୟ କହିଛନ୍ତି। ଅପରପକ୍ଷରେ ବିରୋଧୀ କଂଗ୍ରେସ ଓ ଭାଜପା ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତିକୁ ଶାସକ ଦଳର ଥଇଥାନ କେନ୍ଦ୍ର ବୋଲି ଅଭିହିତ କରିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଯୋଜନା ବୋର୍ଡ ଅଫିସକୁ କୌଣସି ଫାଇଲ ଆସେ ନାହିଁ। ବର୍ଷ ବର୍ଷ ଧରି ଏହାର ବୈଠକ ବସି ନ ଥାଏ। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ କେବଳ ଗୋଟିଏ ଚାମ୍ବର ମିଳିଥାଏ ବୋଲି ସାଲୁଜା କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଯୋଜନା ବୋଡର୍ର୍ ଏକ ଥଇଥାନ ବୋର୍ଡ। ଅପରପକ୍ଷରେ ଏପରି ଅଭିଯୋଗକୁ ବିଭାଗୀୟ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ, କେନ୍ଦ୍ରରେ ଥିବା ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ କରାଯିବ। ବିରୋଧୀଙ୍କ ଅଭିଯୋଗର କୌଣସି ଆଧାର ନାହିଁ। ଏହାକୁ ଅଧିକ ଲୋକାଭିମୁଖୀ କରିବା ସମ୍ପର୍କିତ ନୀତିଗତ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେହେରା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.